ରାଜ୍ୟସଭାରେ ମଲିକାର୍ଜୁନ ଖଡଗେ୍ ଉଠାଇଲେ କେନ୍ଦ୍ରାପଡ଼ା ଘଟଣା

ନୂଆଦିଲ୍ଲୀ, ୧୩/୦୨ : ରାଜ୍ୟସଭାରେ ଉଠିଲା ଓଡ଼ିଶା ଅଙ୍ଗନବାଡ଼ିରେ ଜାତିଗତ ଭେଦଭାବ ପ୍ରସଙ୍ଗ। କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଅଙ୍ଗନବାଡି କେନ୍ଦ୍ର ଠାରେ ଜଣେ ଦଳିତ ସହାୟିକାଙ୍କ ସହ ହୋଇଥିବା ଜାତିଗତ ଭେଦଭାବ ଘଟଣାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖଡଗେ୍। ଓଡ଼ିଶାର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଦଳିତ ମହିଳା ସହାୟିକା ଭାବେ ନିଯୁକ୍ତ ହୋଇଥିବାରୁ ଗ୍ରାମବାସୀ ସେମାନଙ୍କ ପିଲାଙ୍କୁ ସେଠାରେ ଖାଇବାକୁ ଦେଉନାହାନ୍ତି। ଗତ ତିନିମାସ ଧରି ଅଙ୍ଗନବାଡ଼ି କେନ୍ଦ୍ରକୁ ବର୍ଜନ କରାଯାଇଛି। କାର୍ଯ୍ୟକ୍ଷେତ୍ରରେ ଜାତିଗତ ବୈଷମ୍ୟ ସମ୍ବିଧାନକୁ ଉଲ୍ଲଂଘନ କରୁଛି। ଏହି ଘଟଣା ଶିକ୍ଷାଗତ ଅଧିକାରକୁ ମଧ୍ୟ ଉଲ୍ଲଂଘନ କରୁଛି। ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି ମଲିକାର୍ଜୁନ ଖଡ଼ଗେ। ସେ ଏହି ମାମଲାକୁ ଗୃହରେ ଶୂନ୍ୟକାଳରେ ଉଠାଇ କହିଛନ୍ତି ଯେ, ଯଦି ଏଥିରେ କାହାଦ୍ୱାରା ଗମ୍ଭୀର ଉଲ୍ଲଂଘନ ହୋଇଥିବା ଜଣାପଡ଼େ ତାହାହେଲେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଦରକାର। ଏହି ଧାରା ଅନୁଯାୟୀ ପିଲାମାନଙ୍କ ପୋଷଣ ସ୍ତରକୁ ବଢାଇବା ଲାଗି ରାଜ୍ୟକୁ ଦାୟିତ୍ୱ ଦିଆଯାଇଛି। ଏହା ସହ ଖଡଗେ୍ ନିକଟରେ ମଧ୍ୟପ୍ରଦେଶ, ଗୁଜରାଟ ଏବଂ ଚଣ୍ଡିଗଡଠାରେ ଏଭଳି ଘଟଣା ଘଟିଥିବା ଉଲ୍ଲେଖ କରିଥିଲେ। କୌଣସି କର୍ମଚାରୀଙ୍କ ସହ ଜାତିଗତ ଭେଦଭାବ କେବଳ ସମ୍ବିଧାନର ଉଲ୍ଲଂଘନ ନୁହେଁ, ତାହା ମଧ୍ୟ ଏକ ଦଣ୍ଡନୀୟ ଅପରାଧ ବୋଲି ସେ କହିଛନ୍ତି।