ଭୁବନେଶ୍ୱର, ୧୪/୦୨ : ଆସନ୍ତାକାଲି ମହାଶିବରାତ୍ରୀ । ପୁରୀର ପ୍ରସିଦ୍ଧ ଲୋକନାଥ ପୀଠରେ ମହାଶିବରାତ୍ରୀ ପାଇଁ ବ୍ୟାପକ ପ୍ରସ୍ତୁତି । ଭୋର ୪ ଟାରେ ମହାଦୀପ ଉଠିବ । ଶୃଙ୍ଖଳିତ ନୀତିକାନ୍ତି ସହିତ ଭକ୍ତମାନେ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖାଯାଇଛି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ ଲୋକନାଥ ମନ୍ଦିର ଯାଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଲୋକନାଥ ମନ୍ଦିରରେ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି । ରବିବାର ଜାଗର ଯାତ୍ରା ପଡ଼ୁଥିବାରୁ ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ପ୍ରଭୁ ଲୋକନାଥଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ । ଏହାପରେ ଭୋର ୫ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୦ ଟା ପର୍ଯ୍ୟନ୍ତ ଚାଲିବ । ରାତି ୩ଟାରେ ହରିହର ଭେଟ, ଭୋଗ ସମ୍ପନ୍ନ ପରେ ବଡ଼ସିଂହାର ବେଶ କରାଯାଇ ଭୋର ୪ ଟାରେ ମହାଦୀପ ଉଠିବ ।