ଭାଲେଣ୍ଟାଇନ୍ସ ଡେ’ରେ ନାସାର ଅଦ୍ଭୁତ ଉପହାର । ନାସା ଜାରି କଲା ହୃଦୟ ଆକୃତିର ‘କୋକନ୍ ନେବୁଲା’ର ଚିତ୍ର । ଭାଲେଣ୍ଟାଇନ୍ସ ଡେ’ ଅବସରରେ ନାସାର ‘ଚନ୍ଦ୍ରା ଏକ୍ସ-ରେ ଅବଜରଭେଟୋରୀ’ ମହାକାଶର ଏକ ଅତି ସୁନ୍ଦର ଚିତ୍ର ଜାରି କରିଛି । ଗ୍ୟାଲେକ୍ସି ‘ମିଲ୍କି ୱେ’ରେ ଥିବା ଏହି ଅଞ୍ଚଳଟି ନୂଆ ତାରାମାନଙ୍କର ଏକ ନର୍ସରୀ ବା ଜନ୍ମସ୍ଥାନ ଅଟେ । ହୃଦୟ ଆକୃତିର ନେବୁଲା ପୃଥିବୀଠାରୁ ପ୍ରାୟ ୨,୬୫୦ ଆଲୋକ ବର୍ଷ ଦୂରରେ ‘ସିଗ୍ନସ୍’ ନକ୍ଷତ୍ରମଣ୍ଡଳରେ ଅବସ୍ଥିତ ଅଛି । ଚନ୍ଦ୍ରା ଅବଜରଭେଟୋରୀର ଏକ୍ସ-ରେ ଡାଟା ଏବଂ ଇନଫ୍ରାରେଡ୍ କ୍ୟାମେରା ସାହାଯ୍ୟରେ ଏହି ଚିତ୍ର ପ୍ରସ୍ତୁତ କରାଯାଇଛି । ଏଥିରେ ଗ୍ୟାସ୍ ଏବଂ ଧୂଳି କଣା ଭିତରୁ ନୂଆ ତାରାମାନେ ଜନ୍ମ ନେଉଥିବା ଦେଖାଯାଉଛି । ନେବୁଲାର ଆକାର ହୃଦୟ ଆକୃତିର କାହିଁକି?ନେବୁଲାରେ ଥିବା ଗରମ ଏବଂ ବିଶାଳକାୟ ତାରାମାନଙ୍କର ବିକିରଣ ଓ ପ୍ରବଳ ପବନ ଯୋଗୁଁ ମହାକାଶରେ ଥିବା ଗ୍ୟାସ୍ ଏକ ହୃଦୟର ରୂପ ନେଇଛି ବୋଲି ନାସା କହିଛି । ନାସା ପକ୍ଷରୁ କୁହାଯାଇଛି, “ଭାଲେଣ୍ଟାଇନ୍ସ ଡେ’ ପାଳନ କରିବା ପାଇଁ ଆମେ କୋକନ୍ ନେବୁଲାର ଏହି ନୂତନ ଚିତ୍ର ଜାରି କରୁଛୁ । ଭଲପାଇବା ପ୍ରକାଶ କରିବା ପାଇଁ ଏହି ବିଶାଳ ଗରମ ଗ୍ୟାସର ବାଦଲଠାରୁ ବଳି ଭଲ ମାଧ୍ୟମ ଆଉ କିଛି ହୋଇନପାରେ ବୋଲି ମଜାକିଆ ଢଙ୍ଗରେ କହିଛି ନାସା । ସୋସିଆଲ ମିଡିଆରେ ଏହି ଚିତ୍ରଟି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।