ଆସନ୍ତାକାଲି ଜାଗର : ଲିଙ୍କରାଜ ମନ୍ଦିରକୁ ନେଇପାରିବେନି ପ୍ଲାଷ୍ଟିକ୍ ସାମଗ୍ରୀ

ଭୁବନେଶ୍ୱର, ୧୪/୦୨ : ରାତି ପାହିଲେ ଦେବ ଦେବ ମହାଦେବଙ୍କ ମହାଶିବରାତ୍ରି । ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଜାଗର ପାଇଁ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍ ଉପରେ କଟକଣା ଜାରି କରାଯାଇଛି । ମନ୍ଦିରକୁ କୌଣସି ପ୍ଲାଷ୍ଟିକ୍ ଯଥା ପାଣି ବୋତଲ, ପଲିଥିନ୍ ଇତ୍ୟାଦି ନେଇପାରିବେ ନାହିଁ । ଶ୍ରଦ୍ଧାଳୁମାନେ କେବଳ ପତ୍ର, କାଠ ଏବଂ କାଗଜରେ ତିଆରି ସାମଗ୍ରୀ ମନ୍ଦିର ଭିତରକୁ ନେଇପାରିବେ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ପରିଚାଳନା କମିଟି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ହୋଇଛି । ପୂଜା ସାମଗ୍ରୀ, ପ୍ରସାଦ ସେବନ କରିବା ତଥା ଖାଦ୍ୟ ସାମଗ୍ରୀ ନେବାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬ ଏବଂ ପରବର୍ତ୍ତୀ ସଂଶୋଧିତ ନିୟମ ଆଧାରରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଆସନ୍ତାକାଲି ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହପରି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ମଧ୍ୟ ଜାରି ହୋଇଛି ।