ନୂଆଦିଲ୍ଲୀ, ୧୬/୦୨ : ଗାଜା ଉପରେ ଇସ୍ରାଏଲ୍ ପୁଣି ଏକ ବଡ଼ ଆକ୍ରମଣ କରିଛି। ଏହି ଆତ୍ମଘାତୀ ଆକ୍ରମଣରେ ୯ଜଣ ପାଲେଷ୍ଟାଇନ୍ ନାଗରୀକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଉତ୍ତର ଗାଜାର ଜବାଲିଆ ସ୍ଥିତ ଏକ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦକ୍ଷୀଣ ଗାଜାର ଖ୍ଵାନା ୟୁନିସ ସହର ଉପରେ ଗୁଳିଗୋଳା ମାଡ଼ରେ ଆଉ ୫ଜଣଙ୍କ ଜୀବନ ଚାଲିଯାଇଛି। ବଡ଼ କଥା ହେଉଛି ସକାଳ ସମୟରେ ଟେଣ୍ଟ(ତମ୍ବୁ) ଭିତରେ ଲୋକେ ଶୋଇଥିବା ଅବସ୍ଥାରେ ଇସ୍ରାଏଲ୍ ସେନା ଆକ୍ରମଣ କରିଥିଲା। ଇସ୍ରାଏଲ୍ ଡିଫେନ୍ସ ଫୋର୍ସ(ଆଇଡିଏଫ୍)ର କହିବା ମୁତାବକ, କିଛି ଘଣ୍ଟା ପୂର୍ବରୁ ବିଟି ହାନୁନ ଅଞ୍ଚଳରେ ହମାସ ଦ୍ବାରା କରାଯାଇଥିବା ଯୁଦ୍ଧବିରତୀ ଉଲଂଘନର ଜବାବ ଦିଆଯାଇଛି। କିଛି ବନ୍ଧୁକଧାରୀ ଆତଙ୍କବାଦୀ ଏକ ଶୁଡ଼ଙ୍ଗ ଭିତର ଦେଇ ୟେଲୋ ଲାଇ ନିକଟ ଏକ ବିଲ୍ଡିଂରେ ପ୍ରବେଶ କରୁଥିବାର ଦେଖାଯାଇଥିଲା। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସେହି ବିଲ୍ଡିଂ ଉପରେ ବାୟୁସେନା ଦ୍ବାରା ଆକ୍ରମଣ କରାଯାଇଥିଲା, ଯେଉଁଥିଲେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପଟେ ଗତବର୍ଷ ଅକ୍ଟୋବର ମାସରେ ହୋଇଥିବା ଯୁଦ୍ଧବିରତୀ ଚୁକ୍ତିକୁ ବର୍ତ୍ତମାନ ସୁଦ୍ଧା ହମାସ ଛଅ ଥର ଉଲଂଘନ କରିଥିବା ଅଭିଯୋଗ କରିଛି ଆଇଡିଏଫ୍। ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିବା ମୁତାବକ, ହମାସ ଓ ଇସ୍ରାଏଲ୍ ପରସ୍ପର ଉପରେ ଯୁଦ୍ଧବିରତୀ ଉଲଂଘନର ଅଭିଯୋଗ କରିଆସୁଛନ୍ତି। ଯେବେଠୁ ଯୁଦ୍ଧବିରତୀ ଚୁକ୍ତି ହୋଇଛି ସେବେଠୁ ବର୍ତ୍ତମାନ ପର୍ୟ୍ୟନ୍ତ ଗୁଳିମାଡ଼ରେ ୬ଶହ ପାଲେଷ୍ଟାଇନଙ୍କ ଜୀବନ ଗଲାଣି।