ଆସନ୍ତାକାଲି ଠାରୁ ଆରମ୍ଭ ହେବ CBSE ପରୀକ୍ଷା

ଭୁବନେଶ୍ୱର, ୧୬/୦୨ : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ୱାଦଶ ପରୀକ୍ଷା। ଚଳିତ ଥର ୪୬ ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହା ପୂର୍ବରୁ ନିୟମକୁ କଡ଼ାକଡ଼ି କରିଛି ସିବିଏସସି। ସକାଳ ୧୦ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSE ନିର୍ଦ୍ଦେଶ ଦେଇଛି। ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ, ତେଣୁ ୧୦ଟା ସୁଦ୍ଧା ପହଞ୍ଚିବା ଜରୁରୀ। ଦୂରତା କିମ୍ବା ଅନ୍ୟ ପ୍ରତିକୂଳ ସ୍ଥିତିକୁ ଦେଖି ଆଗୁଆ ବାହାରିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ନପହଞ୍ଚିଲେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାରଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏନେଇ ସ୍କୁଲ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କରିଛି ସିବିଆଇ। ତେବେ ମଙ୍ଗଳବାର ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସବୁ ସେଣ୍ଟରରେ କଡାକଡି ଚେକିଂ ହେବା ନେଇ ସୂଚନା ରହିଛି।ସକାଳ ୧୦ଟା ୩୦ରେ ଆରମ୍ଭ ହେବାକୁ ଥିବା ସକାଳ ସିଫ୍ଟ ପ୍ରଶ୍ନପତ୍ର ପାଇଁ ସକାଳ ୧୦ଟା ପରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ପରୀକ୍ଷା ପ୍ରଶ୍ନପତ୍ର ୧୦:୧୫ରେ ବଣ୍ଟାଯିବ। ତଥାପି, ଭିନ୍ନକ୍ଷମ (PwD) ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ଅତିରିକ୍ତ ସମୟ ଦିଆଯିବ। ସେହିପରି ପ୍ରଶ୍ନପତ୍ର ପଢିବାର ୧୫ ମିନିଟ୍ ମଧ୍ୟରେ ଛାତ୍ରମାନଙ୍କୁ ହଇରାଣ ନ କରିବାକୁ ବୋର୍ଡ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ କହିଛି।