ମୈନପୁର ପାହାଡ଼ରେ ମାଓ କ୍ୟାମ୍ପ ଠାବ : ଅସ୍ତ୍ର ଭଣ୍ଡାର ଜବତ

ଭୁବନେଶ୍ୱର, ୧୭/୦୨ : ଛତିଶଗଡ଼ ମୈନପୁର ଥାନା ସାତାମାରି ପାହାଡ଼ ଅଞ୍ଚଳରେ ମାଓବାଦୀଙ୍କ କ୍ୟାମ୍ପ ଠାବ କରିଛି ପୁଲିସ । ସେଠାରୁ ୨ଟି ଏସ.ଏଲ.ଆର, ଗୋଟିଏ ଇନସାସ୍ ଏବଂ ଗୋଟିଏ ୧୨ ବୋର୍‌ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଜିଲ୍ଲା ପୋଲିସ ବାହିନୀ, ଗରିଆବନ୍ଧର ଇ-ଥାର୍ଟି ଅପରେସନ୍ ଟିମ୍ ଦ୍ୱାରା କାର୍ଯ୍ୟାନୁଷ୍ଠାନ ହୋଇଛି । ଫଳରେ ଗରିଆବନ୍ଧ ଅଞ୍ଚଳରେ ନକ୍ସଲ ହିଂସାର ସମ୍ଭାବନାକୁ ପଣ୍ଡ କରାଯାଇପାରିଛି । ଗତ ମାସରେ ଗରିଆବନ୍ଦରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀମାନଙ୍କୁ ପୁଙ୍ଖାନୁପୁଙ୍ଖ ପଚରାଉଚରା କରାଯାଇଥିଲା । ଏହାପରେ ସୂଚନା ମିଳିଛି ଯେ, ନିଷିଦ୍ଧ ସଂଗଠନ ସିପିଆଇ (ମାଓବାଦୀ)ର ଓଡ଼ିଶା ରାଜ୍ୟ କମିଟି ଶୀର୍ଷ ନେତୃତ୍ୱ ମୈନପୁର ଥାନା ଅନ୍ତର୍ଗତ ସାତାମାରି ପାହାଡ଼ ଅଞ୍ଚଳରେ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ପକାଇଛନ୍ତି । ଏହି ସୂଚନା ଆଧାରରେ, ପୁଲିସ ମାଓ କ୍ୟାମ୍ପ ଗୁଡ଼ିକୁ ଚିହ୍ନଟ କରିଥିଲା । ସେପଟେ ନକଲି ମାଓ ପୋଷ୍ଟର ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିଥିବା ଘଟଣାରେ ରାୟଗଡ଼ା ପୋଲିସ ୱେବ ସାମ୍ବାଦିକ ଅନୁବ୍ରତ ବାରା ଓ ବଳି ମାଝିଙ୍କୁ ଗିରଫ କରିଥିଲା । ଏହି ଘଟଣାର ଅଧିକ ତଦନ୍ତ କରି ସେମାନଙ୍କ ଆଉ ଜଣେ ସାଥୀ ସୀମାଂଚଳ କୁଟ୍ରୁକା ଏବଂ ଆପନା ମାଣ୍ଡାଙ୍ଗି ଓରଫ୍ ମାଣ୍ଡିକାଙ୍କୁ ଗିରଫ କରିଛି । ରାୟଗଡ଼ା ଏସପି ସ୍ୱାତୀ ଏସ. କୁମାର ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନା ଅନୁସାରେ, ଏହି ମାମଲାର ମୁଖ୍ୟ କାର୍ପଟଦାର ସାଜିଥିଲେ ୱେବ ସାମ୍ବାଦିକ ଅନୁବ୍ରତ ବାରା। ଶୁକ୍ରବାର ସକାଳେ ରାୟଗଡ଼ା ସହର, ଶେଷଖାଲ ଥାନା, ଚାନ୍ଦିଲି ଥାନା ଏବଂ କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏହି ମାଓ ପୋଷ୍ଟର ଜବତ ପରେ ରାୟଗଡ଼ା ପୋଲିସ ଆରମ୍ଭ କରିଥିଲା ତଦନ୍ତ। ତଦନ୍ତରୁ ସାମ୍ବାଦିକ ଅନୁବ୍ରତ ବାରା ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ମିଳିବା ପରେ ପୁଲିସ ଗିରଫ କରିଥିଲା ।