ଭୁବନେଶ୍ୱର, ୧୮/୦୨ : ବିଧାନସଭା ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଚାଲିପାରିଲାନି ଗୃହ। ଦିନ ତମାମ୍ ୩ ଥର ହେଲା ମୁଲତବୀ। ମାତ୍ର ୭ ମିନିଟ ହେଲା ଗୃହ କାର୍ଯ୍ୟ। ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଏବଂ ଆସନ୍ତାକାଲି ଗୃହରେ ଆଲୋଚନା ହେବାର ଥିଲା। ହେଲେ ପ୍ରଥମରୁ ବିରୋଧୀ ସଦସ୍ୟମାନେ ଗୃହରେ ଧାନ ରଖି ହଟ୍ଟଗୋଳ କରିଥିଲେ। ବାଚସ୍ପତି ପୋଡ଼ିୟମ ପାଖକୁ ଆସିବା କ୍ଷଣି ବିରୋଧୀ ଦଳ ଧାନ ଓ ପ୍ଲା କାର୍ଡ ଧରି ହଟ୍ଟଗୋଳ କରିଥିଲେ। ବିଜେଡ଼ି ସଦସ୍ୟ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଣ୍ଡରେ ଧାନ ମୁଣ୍ଡାଇ ଗୃହ ଭିତରକୁ ଆସିଥିଲେ ଏବଂ ରିପୋର୍ଟ୍ସଙ୍କ ଟେବୁଲ ଉପରେ ଧାନ ରଖି ହୋହାଲ୍ଲା କରିଥିଲ। ଉଭୟ ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ। ବାଚସ୍ପତି ବାରମ୍ବାର ସମସ୍ତ ସଦସ୍ୟଙ୍କୁ ଆସନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ କେହି ନ ଶୁଣିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଏହା ପରେ ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ତଥାପି ବିରୋଧୀ ସଦସ୍ୟମାନେ ସେମାନଙ୍କ ହରକତରୁ ବାଦ ପଡ଼ିନଥିଲେ। ପୁଣି ଥରେ ନାରାବାଜି କରିବା ଆରମ୍ଭ କରିଦେଇଥିଲେ। ଯାହା ଫଳରେ ବାଚସ୍ପତି ହଙ୍ଗାମା ଓ ନାରାବାଜି ମଧ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି। ବାଚସ୍ପତି ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ।