ରାଜ୍ୟରେ ଉପରମୁହାଁ ପାରଦ : ଆହୁରି ବଢିବ ତାତି

ଭୁବନେଶ୍ୱର, ୧୯/୦୨ : ରାଜ୍ୟରେ ଉପରମୁହାଁ ପାରଦ। ବୁଧବାର ରାତିରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ଅବଶିଷ୍ଟ ଓଡ଼ିଶାର ରାତି ତାପମାତ୍ରା ସ୍ୱାଭାବିକ୍ ରହିଛି। ତେବେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଘୁ.ଉଦୟଗିରି ଠାରେ ୭.୬ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ସେମିଳିଗୁଡାରେ ୯.୨ ଡିଗ୍ରୀ, ରାଉରକେଲାରେ ୧୦ ଡିଗ୍ରୀ, ଫୁଲବାଣୀରେ ୧୦.୫ ଡିଗ୍ରୀ,ଝାରସୁଗୁଡାରେ ୧୧.୨ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୬ ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ଦିନରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆଜି ରାଜଧାନୀ ଓ ଆଖପାଖ ଅଞ୍ଚଳରେ ସକାଳୁ ସକାଳୁ ଅଳ୍ପ ମାତ୍ରା ଶୀତ ଅନୁଭୂତ ହେଉଛି। କିନ୍ତୁ କୁହୁଡି ପରିଲିକ୍ଷିତ ହୋଇନାହିଁ। ଏପରିକି ଆକାଶ ମେଘମୁକ୍ତ ରହିବ। ଏହାସହିତ ଏବେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।