ଜାରି ରହିଛି ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର, ୨୧/୦୨ : ବିଧାନସଭା ପ୍ରଶ୍ନକାଳରେ ଜାରି ରହିଛି ବିରୋଧୀଙ୍କ ହଟ୍ଟଗୋଳ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର କିଛି ମିନିଟ ପରେ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି ସୁରମା ପାଢୀ । ବିରୋଧୀ ମାନେ ନିଜ ଜିଦରେ ଅଟଳ ରହି ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଧାନ ମଣ୍ଡିରୁ ଧାନ ଉଠୁନି, ଚାଷୀ ହତାଶ ଏହି ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ସଦସ୍ୟମାନେ କଳାବ୍ୟାଚ୍‌ ପିନ୍ଧି ପ୍ରତିବାଦ କରିଥିଲେ । ୧୧ଟା ୩୦ମିନିଟ ପରେ ଗୃହ କାର୍ଯ୍ୟ ଆରମ୍ଭ ପରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଫଳରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଆଜି ପ୍ରଶ୍ନକାଳ ସମୟରେ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଠିଆ ହୋଇ ସେମାନଙ୍କୁ ଅନୁରୋଧ କରିଥିଲେ । ଉଭୟ ସଦସ୍ୟ ନିଜ ନିଜ ସିଟରେ ବସିବାକୁ ନିବେଦନ କରିଥିଲେ । ହେଲେ ଏହାକୁ ମାନିବାକୁ ନାରାଜ ବିରୋଧୀ । ପ୍ରବଳ ନାରାବାଜି ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା । ଚତୁର୍ଥ ଦିନ ପାଇଁ ବି ପ୍ରଶ୍ନକାଳ ସ୍ୱାଭାବିକ ହୋଇନାହିଁ ।