ଭୁବନେଶ୍ୱର, ୨୧/୦୨ : ଆଠଗଡ ଉପଖଣ୍ଡ ଅନ୍ତର୍ଗତ ନରସିଂହପୁର ତହସିଲ ଅଞ୍ଚଳରେ ବେଆଇନ ଅଫିମ ଚାଷ ଉପରେ ବଡ ଧରଣର ଅବକାରୀ ଚଢାଉ କରାଯାଇଛି । ମିଳିଥିବା ସୂଚନା ଆଧାରରେ କଟକ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ସହ ଏକ ୪୦ ଜଣିଆ ଦଳ ନରସିଂହପୁର ଥାନା ଅଧିନ ଜୟଦାମୋଦରପୁର(ମୁଣ୍ଡାସାହି) ଅଞ୍ଚଳରେ ଏହି ଚଢାଉ କରାଯାଇଥିଲା । ଜବତ କରାଯାଇ ମୂଳରୁ ଓପାଡି ଘଟଣାସ୍ଥଳରେ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ । ଏ ସଂକ୍ରାନ୍ତରେ ୩ଟି ଏନଡିପିଏସ୍ ମାମଲା ରୁଜୁ କରାଯିବା ସହ ଏଥିରେ ସଂପୃକ୍ତ ଉକ୍ତ ଗ୍ରାମର ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ରାମ ପୁଟ୍ଟି, ସାଗି ପୁଟ୍ଟି, କୁଜୁରୁ ଟୁଟି, ଲୋଚନ ସୋଲେମନ, ସୁନିତା ହାସଦା ଓ ଚୁବା ଅଲତା ବୋଲି ସୂଚନା ମିଳିଛି । ଜବତ ଅଫିମ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୨୧ କୋଟି ୮୭ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ଏହି ଚଢାଉରେ ନରସିଂହପୁର ତହସିଲଦାର ଅମ୍ରିତା ସାହୁ, ଅଲରା ରାଜସ୍ବ ନିରୀକ୍ଷକ ପ୍ରସନଜିତ୍ ମହାନ୍ତି, ଅବକାରୀ ନିରୀକ୍ଷକ କମଳ ଲୋଚନ ପାଇକରାୟ, ରବିନାରାୟଣ ପ୍ରଧାନ, ଉପନିରୀକ୍ଷକ ତରୁଣ କୁମାର ପାତ୍ର, ଅକ୍ଷୟ କୁମାର ଜେନା, ସହକାରୀ ଉପନିରୀକ୍ଷକ ସୌମ୍ୟରଞ୍ଜନ ବେହେରା, ବିଷ୍ଣୁ ପ୍ରସାଦ ମାଝି, ସରୋଜ କୁମାର ସାହୁ, ରାଜେନ୍ଦ୍ର ଖେସ୍ ଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।