ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ବାହାରିଲା ୧୮ କୋଟି ଟଙ୍କା ଓ ୩ କିଲୋ ସୁନା

ଭୁବନେଶ୍ୱର, ୨୧/୦୨ : ଶ୍ରୀଜଗନ୍ନାଥଙ୍କ ମନ୍ଦିର ହୁଣ୍ଡିରୁ ୧୮ କୋଟି ଟଙ୍କା ଓ ୩ କିଲୋ ସୁନା ଦାନ ସଂଗ୍ରହ କରାଯାଇଛି । ଜଗାକୁ ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ । ଆଜି ଏ ସମ୍ପର୍କରେ ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି । ଗତ ବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ୭୭୦ ଟଙ୍କା ଦାନ ସଂଗ୍ରହ କରାଯାଇଛି । ଭକ୍ତମାନେ ଉକ୍ତ ବର୍ଷରେ ୩ କିଗ୍ରା ୪୪୧ ଗ୍ରାମ ୩୦୦ ମିଗ୍ରା ମିଶ୍ରିତ ସୁନା ଓ ୩୩ କିଗ୍ରା ୬୪୮ ଗ୍ରାମ ୯୫୦ ମିଗ୍ରା ମିଶ୍ରତ ରୁପା ଅଳଙ୍କାର ଦାନ କରିଛନ୍ତି । ୧୯୮୧ ରୁ ୨୦୨୪ -୨୫ ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ଏବଂ ୧୫୮ କେଜି ୮୩୬ ଗ୍ରାମ ରୁପା ଦାନ ହୁଣ୍ଡିରୁ ସଂଗ୍ରହ ହୋଇଛି । ସେହିଭଳି ୨୦୧୧ ରୁ ୨୦୨୪-୨୫ ଭିତରେ ହୁଣ୍ଡୀ ଏବଂ ଅନ୍ୟାନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ଆଦାୟ ହୋଇଛି ।