ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର

ଭୁବନେଶ୍ୱର, ୨୧/୦୨ : ଟ୍ରାକ୍ଟରରେ ବୁହାହୋଇ ୩ କିଲୋମିଟର ଗଲେ ୩୦ରୁ ଅଧିକ ଛାତ୍ର । କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରୁ ଆସିଛି ଏପରି ଅଭାବନୀୟ ଦୃଶ୍ୟ । ଏହି ଭିଡ଼ିଓ ଭାଇରଲ ହେବା ପରେ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଟ୍ରାକ୍ଟରରେ ବୁହାହୋଇ ଯାଉଥିବା ସମସ୍ତ ଛାତ୍ର କ.ନୂଆଗାଁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ପରୀକ୍ଷା କେନ୍ଦ୍ରକୁ ଟ୍ରାକ୍ଟରରେ ଏଭଳି ବିପଦ ସଂକୂଳ ଅବସ୍ଥାରେ ବୁହା ହୋଇ ଯାଇଥିଲେ କ.ନୂଆଗାଁ ପି.ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର । ପରୀକ୍ଷା କେନ୍ଦ୍ର କୁଡୁତୁଲି ଉଚ୍ଚ ବିଦ୍ୟାଳୟକୁ ଟ୍ରାକ୍ଟର ଟ୍ରଲିରେ ବସି ଯାଇଥିଲେ । କିଛି ଛାତ୍ର ଟ୍ରାକ୍ଟର ଟ୍ରଲି ଓ ଇଞ୍ଜିନର ଜଏଣ୍ଟ ସ୍ଥାନରେ ମଧ୍ୟ ଛିଡ଼ା ହୋଇ ଯାତ୍ରା କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । କିଛି ଘଟିଥିଲେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଦଶମ ଶ୍ରେଣୀ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ସେପରି କିଛି ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ବେଳେ ଛାତ୍ର ମାନେ ଏପରି ଭାବେ ଟ୍ରାକ୍ଟରରେ ଯାଇଥିବା ଜଣା ପଡିଛି ।