ଲାଞ୍ଚ ନେଉଥିବା ବେଳେ କର୍ଣ୍ଣାଟକର ବିଜେପି ବିଧାୟକ ଗିରଫ

ନୂଆଦିଲ୍ଲୀ, ୨୨/୦୨ : କର୍ଣ୍ଣାଟକ ଲୋକାୟୁକ୍ତ ପୁଲିସ ଜାଲ ବିଛାଇ ଜଣେ ବିଜେପି ବିଧାୟକଙ୍କୁ ଏକ ଜଳସେଚନ ପ୍ରକଳ୍ପ ସହିତ ଜଡିତ ଲାଞ୍ଚ ମାମଲା ଅଭିଯୋଗରେ ଗିରଫ କରିଛି । ଗଡଗ ଜିଲ୍ଲାର ଚିଞ୍ଚାଲିର କ୍ଲାସ-୧ ଠିକାଦାର ବିଜୟ ପୂଜାରଙ୍କ ଅଭିଯୋଗ ଆଧାରରେ, ବିଜେପି ବିଧାୟକ ଚନ୍ଦ୍ରୁ ଲାମାନି ଓ ତାଙ୍କର ଦୁଇ ସହାୟକ ମଞ୍ଜୁନାଥ ବାଲ୍ମିକି ଏବଂ ଗୁରୁନାୟକଙ୍କୁ ଗିରଫ କରାଯାଇଛି। ଲାମାନି ଶିରାହଟ୍ଟି ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ । କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ରାସ୍ତାର ଉଭୟ ପାର୍ଶ୍ୱରେ ରିଟେନିଙ୍ଗ୍ ୱାଲ୍ ନିର୍ମାଣ କାର୍ଯ୍ୟର କ୍ଲିୟରାନ୍ସ ପାଇଁ ଠିକାଦାରଙ୍କଠାରୁ ୧୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରାଯାଇଥିବା ଅଭିଯୋଗ ହୋଇଛି । ବିଧାୟକ ଓ ଅନ୍ୟ ଦୁଇ ଅଭିଯୁକ୍ତ ୫ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି । ଲୋକାୟୁକ୍ତ ଅଧିକାରୀମାନେ ତିନି ଜଣଙ୍କୁ ନିଜ ହେପାଜତକୁ ନେଇଛନ୍ତି । ଦୁର୍ନୀତି ନିବାରଣ ଆଇନ, ୧୯୮୮ ର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଏହି ଘଟଣା ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ବିଜେପିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି,ଲମାନିଙ୍କୁ ଲୋକାୟୁକ୍ତ ଧରିଛନ୍ତି । ବିଜେପି ନେତାମାନେ ଏବେ କ”ଣ କହିବେ? ସେମାନଙ୍କୁ ଜବାବ ଦେବାକୁ ପଡିବ। ଅନ୍ୟମାନଙ୍କ ବିରୋଧରେ ଦୁର୍ନୀତି ଓ ଲାଞ୍ଚ ଅଭିଯୋଗ ଆଣିବା ସହଜ। କିନ୍ତୁ ଏବେ ନିଜେ ଜଣେ ବିଜେପି ବିଧାୟକ ଧରାପଡ଼ିଛନ୍ତି । ଲୋକାୟୁକ୍ତଙ୍କୁ ତଦନ୍ତ କରିବାକୁ ଦିଅନ୍ତୁ। ଆମେ କୌଣସି ପ୍ରକାରେ ତଦନ୍ତରେ ବାଧା ଦେବୁ ନାହିଁ । ଲୋକାୟୁକ୍ତ ଯାହା ତଦନ୍ତ କରୁଛନ୍ତି ତାହା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେପି ନେତାମାନେ ବହୁତ ସଚ୍ଚୋଟ। ସେମାନେ ଏହି ଦେଶରେ ଦୁର୍ନୀତିମୁକ୍ତ।