ଭୁବନେଶ୍ୱର, ୨୩/୦୨ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆଜି ୮ ଜିଲ୍ଲାକୁ ସତକର୍ତା । ୨୪ ତାରିଖ ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବିଷୁବ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଉପର ବାୟୁ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ସୁସ୍ପଷ୍ଟ ହେବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଣୁ ଏହିସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୪ ତାରିଖ ଦିନ ମୟୂରଭଞ୍ଜ, ଯାଜପୁର ଓ କଟକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ଏହିସବୁ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ ଏବଂ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଦେଖାଯିବ ।