ଭୁବନେଶ୍ୱର,୨୪।୨: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବିଶେଷ କରି କୋରାପୁଟ, ସୁବର୍ଣ୍ଣପୁର ବରଗଡ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ତେବେ ଆସନ୍ତାକାଲି ୫ ଜିଲାରେ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି । ସେହି ଜିଲାଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ କେନ୍ଦୁଝର। ଏସବୁ ଜିଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ଏବଂ ପବନ ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହ ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ଏକ ଟ୍ରଫ ଲାଇନ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଓଡ଼ିଶା ଦେଇ ଗତି କରୁଛି। ଏହା ପ୍ରଭାବରେ ସୋମବାର ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଝାରସୁଗୁଡ଼ା ଜିଲାରେ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ସୋନପୁରର ବିନିକା ସମେତ ଜିଲାର କେତେକ ସ୍ଥାନରେ ବର୍ଷା ହୋଇଛି। ସେହିଭଳି ବରଗଡ଼ରେ ମେଘୁଆ ପାଗ ରହିଥିବାବେଳେ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ସୂଚନା ମିଳିଛି। ଏଥିସହ କୋରାପୁଟରେ ମଧ୍ୟ ବର୍ଷା ଓ କୁଆପଥର ମାଡ଼ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ମଧ୍ୟ ୧୫ ଜିଲାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।