ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ

ଭୁବନେଶ୍ୱର, ୨୫/୦୨ : ରାଜଧାନୀ ଉପକଣ୍ଠରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଟ୍ରକ୍ ପଛରେ ବାଇକ୍ ପିଟି ହେବା ଫଳରେ ୨ ଜଣ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଭୁଆସୁଣୀ ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଯାଉଥିବା ସମୟରେ ହଠାତ୍ ବାଇକ୍‌ର ଚକ ପଙ୍କଚର ହୋଇଯାଇଥିଲା। ଫଳରେ ଚାଳକ ଜଣକ ବାଇକ୍‌ର ଭାରସାମ୍ୟ ହରାଇ ବସିଥିଲେ ଏବଂ ଗାଡ଼ିଟି ସମ୍ମୁଖରେ ଯାଉଥିବା ଏକ ଟ୍ରକ୍ ପଛରେ ପ୍ରବଳ ଜୋର୍‌ରେ ପିଟି ହୋଇଯାଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ସେମାନଙ୍କ ପରିବାରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି।