ନୂଆଦିଲ୍ଲୀ, ୨୫/୦୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୱଲପିଣ୍ଡିର ଆଦିଆଲା ଜେଲ୍ରୁ ଇସଲାମାବାଦସ୍ଥିତ ପିଆଇଏମଏସ (ପାକିସ୍ତାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ)କୁ ସ୍ଥାନାନ୍ତର କରାଯାଇଛି। ପିଆଇଏମଏସ୍ରେ ଭର୍ତ୍ତି ହେବାପରେ ଚକ୍ଷୁ ବିଶେଷଜ୍ଞମାନେ ଇମ୍ରାନଙ୍କ ଡାହାଣ ପଟ ଆଖିରେ ଇନ୍ଟ୍ରାଭିଟ୍ରିଏଲ ଆଣ୍ଟି-ଭିଇଜିଏଫ୍ ଇେଞ୍ଜକ୍ସନ ଦେଇଛନ୍ତି। ଏହା ରେଟିନାରେ ଘଟିଥିବା କ୍ଷତିକୁ ସୁଧାରିବା ସହ ଦୃଷ୍ଟିଶକ୍ତି ଫେରାଇ ଆଣିଥାଏ ପିଆଇଏମ୍ଏସରେ ପହଞ୍ଚିବା ପରେ ଡାକ୍ତରୀ ଦଳ ପ୍ରଥମେ ଇମ୍ରାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ସବୁକିଛି ସ୍ବାଭାବିକ ଥିବା ରିପୋର୍ଟ ଦେଇଛନ୍ତି। ସୂଚନାଯୋଗ୍ୟ ଆଦିଆଲା ଜେଲ୍ରେ ଥିବାବେଳେ ଇମ୍ରାନଙ୍କ ଡାହାଣ ପଟ ଆଖିର ୮୫ ପ୍ରତିଶତ ଦୃଷ୍ଟିଶକ୍ତି ନଷ୍ଟ ହୋଇଥିଲା। ଇମ୍ରାନଙ୍କ ପ୍ରତି ଅବହେଳା କରାଯାଉଛି ବୋଲି ତାଙ୍କ ପୁଅ କାସିମ ଖାନ ଅଭିଯୋଗ କରିବା ପରେ ପାକ୍ ସରକାର ଉନ୍ନତ ଚିକିତ୍ସା ପାଇଁ ଇମ୍ରାନଙ୍କୁ ପିଆଇଏମଏସ୍ ଆଣିବାକୁ ବାଧ୍ୟ ହୋଇଛନ୍ତି। ଚିକିତ୍ସା ପରେ ଇମ୍ରାନଙ୍କୁ ପୁଣି ଆଦିଆଲା ଜେଲ୍କୁ ଫେରାଇ ନିଆଯିବ।