ଏସ୍‌ଆଇଆର୍‌ କର୍ମଚାରୀଙ୍କୁ ମାଡ଼, ୭୨ ଗିରଫ

ଭୁବନେଶ୍ୱର, ୨୭/୦୨ : ବାଲେଶ୍ୱରଜିଲ୍ଲା ରାଜନଗର ପାଟଣା ଗ୍ରାମରେ ପିଲାଚୋରି ଗୁଜବକୁ ନେଇ ପଶ୍ଚିମବଙ୍ଗର ୨ ଜଣ ଏସ୍‌ଆଇଆର୍‌ କର୍ମଚାରୀ ଓ ଜଣେ ସାମ୍ବାଦିକଙ୍କୁ ମାଡ଼ ସହ ରାଇବଣିଆ ପୁଲିସକୁ ଠେଲାପେଲା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତକାଲି ରାତିରୁ ପୁଲିସ ଧରପଗଡ଼ ଆରମ୍ଭ କରି ୭୨ଜଣଙ୍କୁ ଗିରଫ କରିଛି। ଗତକାଲି ପିଲାଚୋରି ଗୁଜବରୁ ଏସ୍‌ଆଇଆର୍‌ କର୍ମଚାରୀଙ୍କୁ ମାଡ଼ ଖବର ପାଇ ରାଜନଗର ପାଟଣା ଗ୍ରାମକୁ ଯାଇଥିବା ରାଇବଣିଆ ଥାନାଧିକାରୀ ଚମ୍ପାବତୀ ସୋରେନଙ୍କୁ ଗ୍ରାମବାସୀ ଠେଲାପେଲା କରିଥିଲେ। ଆଇନ୍‌କୁ ହାତକୁ ନେବା ସହ ପୁଲିସକୁ ଅଟକ ରଖିଥିଲେ। ଏନେଇ ରାଇବଣିଆ ଥାନା ଏଏସ୍‌ଆଇ ଚନ୍ଦନ ମହାନ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ କେସ୍‌ ନମ୍ବର ୩୨/୨୬ରେ ଏକ ମାମଲା ରୁଜୁ କରାଯାଇଛି। ଆହତ ପଶ୍ଚିମବଙ୍ଗ ଏସ୍‌ଆଇଆର୍‌ କର୍ମଚାରୀ ସୋମିତ ହାଜରାଙ୍କ ଅଭିଯୋଗ ଆଧାରରେ କେସ୍‌ ନମ୍ବର ୩୩/୨୬ରେ ଆଉ ଏକ ମାମଲା ରୁଜୁ ହୋଇଛି। ଏହି ୨ ମାମଲାରେ ଗତକାଲି ରାତି ୨ଟାରୁ ଏସ୍‌ପିଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ଟିମ୍‌ ଧରପଗଡ଼ ଆରମ୍ଭ କରିଥିଲା। ପୁଲିସ ଫୋର୍ସ ସହ ରାମନଗର ପାଟଣା ଗ୍ରାମରେ ଚଢ଼ଉ କରି ୯୦ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଉଠାଇ ଆଣି ଜଳେଶ୍ୱର ଥାନାରେ ରଖିଥିଲା। ଜେରା ପରେ ୭୨ ଜଣଙ୍କୁ ଗିରଫ କରାଯାଇଛି ବୋଲି ଅତିରିକ୍ତ ଏସ୍‌ପି ନିରଞ୍ଜନ ବେହେରା ସଚନା ଦେଇଛନ୍ତି। ଗଣ୍ଡଗୋଳ ସମୟରେ ଉଠାଯାଇଥିବା ଏକାଧିକ ଭିଡିଓ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିବା ସେ କହିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଜିକେ ଭଟ୍ଟର ହସ୍ପିଟାଲରେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି ପୁଲିସ। ଅନ୍ୟପକ୍ଷରେ ଗତକାଲି ଆକ୍ରମଣର ଶିକାର ହୋଇଥିବା ୨ ଏସ୍‌ଆଇଆର୍‌ କର୍ମଚାରୀଙ୍କୁ ଚିକିତ୍ସା ପରେ ପଶ୍ଚିମବଙ୍ଗ ପ୍ରଶାସନ ଜରିଆରେ ସୁରକ୍ଷିତ ଭାବେ ଘରକୁ ପଠାଇ ଦିଆଯାଇଛି।