ଭୁବନେଶ୍ୱର, ୨୭/୦୨ : ଆସନ୍ତା ମାସରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ । ମାର୍ଚ୍ଚ ୫ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଭୁବନେଶ୍ୱରରେ ପହଁଚିବେ । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶାହ ମାର୍ଚ୍ଚ ୫ ତାରିଖ ସଂଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଁଚିବେ । ୬ ତାରିଖ ପୂର୍ବାହ୍ନରେ କଟକ ମୁଣ୍ଡୁଳିସ୍ଥିତ ସିଆଇଏସଏଫର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଏବଂ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ( ସିଏଫଏସଏଲ), ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବା ସହ ଆଭାସୀ ମାଧ୍ୟମରେ ଏନଏଫଏସୟୁ ଟ୍ରାନଜିଟ୍ କ୍ୟାମ୍ପସ , ଭୁବନେଶ୍ୱରର ଶୁଭ ଉଦ୍ଘାଟନ କରିବେ । ସେଦିନ ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ନବୀନ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ସମବାୟ ଏବଂ ଅନ୍ୟ ବିଭିନ୍ନ ବିଭାଗ ପ୍ରକଳ୍ପଗୁଡିକର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମାନ୍ୟବର କେଦ୍ରମନ୍ତ୍ରୀଙ୍କ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗଦାନ ଗସ୍ତକୁ ଦୃଷ୍ଟିରେ ରଖି ଗୋଡ଼ିସାହିରୁ ମୁଣ୍ଡୁଳି ରାସ୍ତାର ବ୍ଲାକ୍ ଟପିଂ ସହିତ ଆଲୋକୀକରଣ, ପରିସ୍କାର ପରିଚ୍ଛନ୍ନତା ଓ ଆବଶ୍ୟକ ସୌନ୍ଦର୍ଯ୍ୟକରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଆଭାସୀ ମାଧ୍ୟମରେ କଟକ ଜିଲ୍ଲାପାଳ ଯୋଗଦେଇଥିଲେ ।
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ସୁଚାରୁ ଓ ସଫଳ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ପାରସ୍ପରିକ ସମନ୍ୱୟ ରଖି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି ସମ୍ପନ୍ନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରସ୍ତୁତି ନିଶ୍ଚିତ କରାଯିବାକୁ ଗୃହ, ଶିଳ୍ପ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରସ୍ତୁତି ନେଇ ସୂଚନା ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ପଦାଧିକାରୀ ଓ ପୁଲିସ୍ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ, କଟକ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।