ଭୁବନେଶ୍ୱର, ୨୮/୦୨ : ରାଜ୍ୟସଭା ନିର୍ବାଚନ ପାଇଁ ରାଜ୍ୟରେ ବଢ଼ୁଛି ରାଜନୈତିକ ଉଷ୍ଣତା। କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ଠାରେ ଉତ୍କଣ୍ଠା। ଏସବୁ ଭିତରେ ରାଜ୍ୟରେ ଶାସକ ଦଳ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଚାଲିଛି ଜୋରଦାର କସରତ, ତିନି ଦଳରେ ଘନଘନ ଚାଲିଛି ମାନସମନ୍ଥନ। ଏସବୁ ଭିତରେ ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ନବୀନ ନିବାସରେ ଗୁରୁବାରର ପିଏସି କମିଟି ବୈଠକ ପରେ ଶୁକ୍ରବାର ସବୁ ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଥିଲା । କାହା ପ୍ରାର୍ଥୀରେ କିଏ ସମର୍ଥକ ଓ ପ୍ରସ୍ତାବକ ରହିବେ ସେନେଇ ଦସ୍ତଖତ ଦେଇଛନ୍ତି ବିଧାୟକ । ଆଜି ବିଜେଡି ତାର ପ୍ରାର୍ଥୀ କାର୍ଡ ଖୋଲିବ ବୋଲି ସୂଚନା ମିଳିଛି । ରାଜ୍ୟସଭା ପ୍ରାର୍ଥୀ ପାଇଁ କଂଗ୍ରେସ ଫର୍ମ ନେବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ତିନିଟି ସେଟ୍ ନେଇଛନ୍ତି ଆଉ ପିସିସି ସଭାପତି କହିଛନ୍ତି, ରାଜ୍ୟସଭା ପାଇଁ ଦଳ ପ୍ରାର୍ଥୀ ଦେବ। ଆଉ ଏ ନିଷ୍ପତ୍ତି ନେବେ ଦିଲ୍ଲୀର ହାଇକମାଣ୍ଡ । ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେପଟେ ଦିନେ ଦୁଇ ଦିନ ଭିତରେ ଶାସକ ଦଳ ବିଜେପି ପ୍ରାର୍ଥୀ ଘୋଷଣା କରିବ । ତେବେ କିଏ ହେବେ ପ୍ରାର୍ଥୀ ନିଷ୍ପତ୍ତି ନେବ ସଂସଦୀୟ ବୋର୍ଡ । ରାଜ୍ୟ ବାହାରୁ ଦଳ ପ୍ରାର୍ଥୀ ଦେଇପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଛି।