ନୂଆଦିଲ୍ଲୀ, ୨୮/୦୨ : ବାୟୁସେନା ଘାଟିରେ ସ୍ୱଦେଶୀ ହାଲୁକା ଯୁଦ୍ଧ ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ରଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ସହ-ପାଇଲଟ୍ ଭାବରେ ‘ପ୍ରଚଣ୍ଡ’ ହେଲିକପ୍ଟର ଉଡ଼ାଇ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି । ଭାରତୀୟ ବାୟୁସେନାର ସର୍ବବୃହତ ସାମରିକ ଅଭ୍ୟାସ ‘ବାୟୁ ଶକ୍ତି ୨୦୨୬’ ପୂର୍ବରୁ ଏହି ସ୍ୱତନ୍ତ୍ର ଉଡ଼ାଣ କରାଯାଇଥିଲା। ଏହି ସ୍ୱତନ୍ତ୍ର ଉଡ଼ାଣ ୨୫ ମିନିଟ୍ ଧରି କରାଯାଇଥିଲା। ରାଷ୍ଟ୍ରପତି ସୀମାବର୍ତ୍ତୀ ଅଞ୍ଚଳ ଏବଂ ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜର ଏକ ଆକାଶ ମାର୍ଗରେ ସର୍ଭେ କରିଥିଲେ। ଯେଉଁଠାରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ତାଙ୍କୁ ହେଲିକପ୍ଟରର କ୍ଷମତା ଏବଂ ସୁରକ୍ଷା ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ। ତା’ପରେ ସେ କକପିଟରେ ଚଢ଼ି ଗ୍ରୁପ୍ କ୍ୟାପ୍ଟେନ୍ ଏନ.ଏସ. ବହୁଆଙ୍କ ସହିତ ଉଡ଼ାଣ କରିଥିଲେ। ଉଡ଼ାଣ ସମୟରେ, ସେ ହେଲିକପ୍ଟରର କକପିଟରୁ ମଧ୍ୟ ସାଲ୍ୟୁଟ୍ କରିଥିଲେ।
ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ‘ପ୍ରଚଣ୍ଡ’ ଭାରତର ଆତ୍ମନିର୍ଭରଶୀଳତାର ଏକ ଦୃଢ଼ ପ୍ରତୀକ। ସେ କହିଥିଲେ ଯେ ସେ ଜୈସଲମେର ଦୁର୍ଗ ଉପରେ ଉଡ଼ି ଗର୍ବିତ ଅନୁଭବ କରୁଛନ୍ତି ଏବଂ ଦେଶର ସାହସୀ ସୈନିକମାନଙ୍କ ସୈନିକମାନଙ୍କୁ ଧନ୍ୟବାଦ ଦେଇଥିଲେ । ରାଷ୍ଟ୍ରପତି ମୁର୍ମୁ ପୂର୍ବରୁ ସାମରିକ ବିମାନ ଉଡ଼ାଇ ଇତିହାସ ସୃଷ୍ଟି କରିଛନ୍ତି। ୨୦୨୩ ମସିହାରେ, ସେ ଆସାମର ତେଜପୁର ଏୟାରବେସରୁ ଏକ ସୁଖୋଇ ବିମାନ ଉଡ଼ାଣ କରିଥିଲେ, ଏବଂ ସୁଖୋଇ ଉଡ଼ାଣ କରିବାରେ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହୋଇଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୂର୍ବରୁ ଏହି ସଫଳତା ହାସଲ କରିଥିଲେ।