ଭୁବନେଶ୍ୱର, ୨୮/୦୨ : ଅନୁଗୁଳରେ ବାହାଘର ଭୋଜି ଖାଇ ୨୫ରୁ ଊର୍ଦ୍ଧ୍ବ ଲୋକ ଗୁରୁତର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୨୦ ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସେହିପରି ଆଉ କିଛି ଲୋକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜରପଡ଼ା ଥାନା ତୁବେ ଗାଁରେ ବୁଧବାର ଦିନ ଏକ ବାହାଘର ଭୋଜି ଖାଇବା ପରେ ବହୁ ଲୋକ ଝାଡ଼ା, ବାନ୍ତି ଓ ଜ୍ଵରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ଅନୁଗୁଳ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦିଲ୍ଲୀପ ପଟ୍ଟନାୟକ କହିଛନ୍ତି, ୧୫ରୁ ଅଧିକ ଲୋକ ଝାଡ଼ା, ବାନ୍ତିରେ ଆକ୍ରାନ୍ତ ହୋଇ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଫୁଡ୍ ପଏଜନିଂ ଯୋଗୁଁ ଏମାନେ ଆକ୍ରାନ୍ତ ହୋଇଥିବା ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି । ଫୁଡ ପଏଜନିଂର କାରଣ ଜାଣିବାକୁ ଆସନ୍ତାକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଟିମ ଭୋଜି ହୋଇଥିବା ସ୍ଥାନକୁ ଯାଇ ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ପଠାଇବେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।