ଭୁବନେଶ୍ୱର, ୨୮/୦୨ : ଆସନ୍ତା ୩ ତାରିଖ ମଙ୍ଗଳବାର ଦିନ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣମୀ । ବଡ଼ଦେଉଳରୁ ଦୋଳ ଦିଅଁ ବିଜେ ହେବେ । ଅବିର ଲାଗି ହୋଇ ଦୋଳବେଦିରେ ଝୁଲିବେ ଦେବଦେବୀ । ସେଥିପାଇଁ ପ୍ରସ୍ତୁତ ହେଉଛି ଦୋଳବେଦି । ଅନାବନା ଗଛ କଟାଯିବ ସହ ସଫା କରାଯାଉଛି । ଏପଟେ ଶ୍ରୀମନ୍ଦିର ଦର୍ଜୀସେବକ ପ୍ରସ୍ତୁତ କରୁଛନ୍ତି ଚାନ୍ଦୁଆ । ଠାକୁରେ ବିଜେ ପୂର୍ବରୁ ଦୋଳବେଦିରେ ଲାଗିବ ୧୯ ଚାନ୍ଦୁଆ । ଆଉ ଦୁଇ ନୂଆ ଚାନ୍ଦୁଆ ଦେବଦେବୀଙ୍କ ଶ୍ରୀମସ୍ତକ ଉପରେ ଶୋଭା ପାଇବ । ଦୋଳପୂର୍ଣ୍ଣମୀ ଅବସରରେ ଫଗୁ ଖେଳରେ ଏକାକାର ହେବେ ଭକ୍ତ ଓ ଭଗବାନ । ଠାକୁରଙ୍କ ଦର୍ଜୀ ସେବକ ପ୍ରକାଶ ମହାପାତ୍ର ଓ ସାଥିମାନେ ଦୋଳବେଦି ପାଇଁ ଆବଶ୍ୟକ ଚାନ୍ଦୁଆ ପ୍ରସ୍ତୁତ କରିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଛାତରେ ମରାମତି କାର୍ଯ୍ୟ ଜାରି ରହିଛି । ଦୋଳବେଦି ଉପରି ଭାଗରେ ମୋଟ ୧୯ଟି ଚାନ୍ଦୁଆ ଲାଗିବ । ଠାକୁରଙ୍କ ନବକଳେବର ସମୟରେ ଏସବୁ ଚାନ୍ଦୁଆ ତିଆରି ହୋଇଥାଏ । ଦୋଳପୂର୍ଣ୍ଣମୀ ପୂର୍ବରୁ ସେଗୁଡ଼ିକୁ କେବଳ ମରାମତି କରାଯାଏ । ଶ୍ରୀ ମହାପାତ୍ର କୁହନ୍ତି ଦୋଳବେଦିକୁ ଦୁଇଟି ଲେଖାଁଏ ବାନା ଓ ଚାନ୍ଦୁଆ ନୂଆ କରି ଯୋଗାଯିବ । ଠାକୁରେ ବିଜେ ପୂର୍ବରୁ ଏସବୁ ଦେବ କାର୍ଯ୍ୟରେ ଲାଗିବ । ସେହିଭଳି ଦୋଳବେଦି ପରିସରକୁ ସଫା କରାଯିବା ପରେ ରଙ୍ଗ ଲେପନ ହୋଇ ଉଜ୍ୱଳ ଆଲୋକ ଲାଗି ଠାକୁରଙ୍କ ଆସିବାକୁ ଅପେକ୍ଷା ରହିବ । ଶ୍ରୀମନ୍ଦିରରେ ନାଭିକଟା ମଣ୍ଡପ ନୀତି ସାରି ୭ ପାହାଚରେ ଥିବା ବିମାନକୁ ଦୋଳଗୋବିନ୍ଦ, ଲକ୍ଷ୍ମୀ, ସରସ୍ୱତୀ(ଦୋଳ ଠାକୁର) ବିଜେ ହେବେ । ଦୋଳ ଠାକୁରେଙ୍କୁ ବଡ଼ଦେଉଳରେ ୭ ଘେରା ବେଢ଼ା ବୁଲି ଦୋଳବେଦିକୁ ଦିଅଁ ବିଜେ ହେବେ । ଠାକୁରଙ୍କ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସାମିଲ ହେବେ ବହୁ ଶ୍ରଦ୍ଧାଳୁ ଓ ସାଧୁସନ୍ଥ । ଦେବଦେବୀ ଦୋଳିରେ ଅଧିଷ୍ଠିତ ହୋଇ ଝୁଲିବା ସହ ଅବିର ଖେଳ ହେବ । ଦୋଳୋତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଦୋଳବେଦିରେ ଠାକୁରଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁମାନେ ପୂଣ୍ୟ ଅର୍ଜନ କରିବେ । ଏଥିସହ ରତ୍ନସିଂହାସନରେ ଶ୍ରୀବିଗ୍ରହ ସୁନାବେଶ ତଥା ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।