ଡାଳିମ୍ବରେ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରରେ ରକ୍ତ ବଢ଼ାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଡାଳିମ୍ବ ଖାଇ ଶରୀରର ଦୁର୍ବଳତାକୁ ଦୂର କରାଯାଇପାରିବ । ଡାଳିମ୍ବ ରସ ମଧ୍ୟ ଅନେକ ରୋଗ ଭଲ କରିବାରେ ପ୍ରଭାବଶାଳୀ ହୋଇଥାଏ । ଯଦି ଆପଣ ଡାଳିମ୍ବ ଖାଉଛନ୍ତି ତେବେ ଏଥିରେ ଥିବା ଗୁଣ ମଧ୍ୟ ଜାଣି ରଖନ୍ତୁ । ଏଥିରେ ଡାଏଟାରୀ ଫାଇବର, ଜିଙ୍କ, ପୋଟାସିୟମ୍ ଏବଂ ଓମେଗା -6 ଫ୍ୟାଟି ଏସିଡ୍ ମିଳିଥାଏ । ଡାଳିମ୍ବରେ ଭଲ ପରିମାଣର ଆଇରନ୍ ମଧ୍ୟ ଥାଏ । ସାଧାରତଃ ଆମେ ଡାଳିମ୍ବ ଖାଇସାରିବା ପରେ ଏହାର ଚୋପାକୁ ଫିଙ୍ଗି ଦେଇଥାଉ । କିନ୍ତୁ କେବଳ ଡାଳିମ୍ବ ନୁହେଁ ଏହାର ଚୋପା ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆମେ ଡାଳିମ୍ବ ଚୋପାକୁ ଅଳିଆ ବୋଲି ଭାବି ଫିଙ୍ଗି ଦେଉ କିନ୍ତୁ ଏହାର ଚୋପାରେ ପ୍ରସ୍ତୁତି ଚା’ ପିଇବା ଦ୍ବାରା ମୋଟାପଣ ହ୍ରାସ କରାଯିବା ସହିତ ଶରୀରରୁ ହାଇ କୋଲେଷ୍ଟ୍ରଲକୁ ହ୍ରାସ ମଧ୍ୟ କରାଯାଇପାରିବ ।
ଡାଳିମ୍ବ ଚୋପା ବାହାର କରି ଲୋକେ ଏହାର ମଞ୍ଜିକୁ ଖାଇଥାନ୍ତି । ଡାଳିମ୍ବ ଜୁସ୍ ପିଇବା ପାଇଁ ମଧ୍ୟ ଲୋକମାନେ ଏହାର ଚୋପାକୁ ଛଡ଼ାଇଥାନ୍ତି । ଡାଳିମ୍ବ ଚୋପାକୁ ସାଧାରଣତଃ ଲୋକମାନେ ଫୋପାଡ଼ି ଦିଅନ୍ତି । କିନ୍ତୁ ଯଦି ଆପଣ ଡାଳିମ୍ବ ଚୋପାର ଉପକାରିତା ବିଷୟରେ ଜାଣିବେ ଏହାକୁ ଫୋପାଡ଼ିବା ପରିବର୍ତ୍ତେ ଭଲ ଭାବେ ବ୍ୟବହାର କରିପାରିବେ । ଯାହା ତ୍ବଚା ପାଇଁ ମଧ୍ୟ ଲାଭକାରୀ ବୋଲି ପ୍ରମାଣିତ ହୋଇଛି । ତେବେ ଡାଳିମ୍ବ ଚୋପାରୁ ଚା’ କିପରି ପ୍ରସ୍ତୁତ କରାଯାଏ ଏବଂ ଏହାର ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା ।
ଚା’ ତିଆରି କରିବା ପାଇଁ ଡାଳିମ୍ବ ଚୋପାକୁ ନେଇ ସଫା ପାଣିରେ ଧୋଇ ଦିଅନ୍ତୁ । ପରେ ଚୋପାକୁ ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ । ଡାଳିମ୍ବ ଚୋପାକୁ ଖରାରେ ଶୁଖାନ୍ତୁ । ଚୋପା ଶୁଖିଗଲେ ସେଗୁଡିକୁ ଗ୍ରାଇଣ୍ଡିଂ କରି ପାଉଡର ତିଆରି କରନ୍ତୁ । ଏହାକୁ ଏକ ଡବାରେ ଭରି ନିଅନ୍ତୁ । ଏବେ ଚା’ ତିଆରି କରିବା ସମୟରେ ଡାଳିମ୍ବ ଚୋପାକୁ ସେହି ପାଣିରେ ପକାଇ ଫୁଟାନ୍ତୁ । ପରେ ସେଥିରେ ମହୁ ଏବଂ ଲେମ୍ବୁ ରସ ମିଶାନ୍ତୁ । ଏହାକୁ ଛାଣିବା ପରେ ଚା’ ପରି ଗରମ ଗରମ ପିଅନ୍ତୁ ।
ଡାଳିମ୍ବ ଚୋପାର ଉପକାରିତା
ହାର୍ଟକୁ ସୁସ୍ଥ ରଖେ : ଡାଳିମ୍ବ ଚୋପା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ ତେଣୁ ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଡାଳିମ୍ବ ଚୋପା ବ୍ୟବହାର କରି କୋଲେଷ୍ଟ୍ରଲ ହ୍ରାସ କରାଯାଇପାରିବ । ଯେଉଁଥିପାଇଁ ହୃଦଘାତର ଆଶଙ୍କା କମିଯାଏ ।
ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରେ : ଡାଳିମ୍ବରେ ଭିଟାମିନ୍ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଏହି ଚା’ ପିଇବା ଦ୍ୱାରା ଆପଣ ଅନେକ ରୋଗରୁ ବଞ୍ଚି ପାରିବେ । ଡାଳିମ୍ବରେ ପଲିଫେନୋଲ୍ସ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।
ଓଜନ ହ୍ରାସ କରେ : ଡାଳିମ୍ବ ଚୋପା ଚା’ ଓଜନ ହ୍ରାସ କରିବାରେ ଲାଭଦାୟକ ପ୍ରମାଣିତ । ମେଦବହୁଳତାର ଶିକାର ହୋଇଥିବା ଲୋକମାନେ ଦିନକୁ ଥରେ ଡାଳିମ୍ବ ଚୋପା ଚା’ ପିଇବା ଉଚିତ୍ । ଏହି ଚା’ ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଏକ୍ସଟ୍ରା ଫ୍ୟାଟ୍ କମିଯାଏ ।
ଆଲଜାଇମର ବିପଦ କମାଏ : ଡାଳିମ୍ବ ଚୋପାରେ ଏମିତି ତତ୍ବ ଥାଏ ଯାହା ଆଲଜାଇମର ବିପଦକୁ ହ୍ରାସ କରିଥାଏ । ଅନେକ ଅଧ୍ୟୟନରେ ଜଣାପଡିଛି ଯେ ଡାଳିମ୍ବ ଚୋପାରେ ଆଣ୍ଟି-ନ୍ୟୁରୋଡିଜେନେରେଟିଭ୍ ତତ୍ବ ଥାଏ ଯାହା ଆଲଜାଇମର ପରି ସମସ୍ୟାର ଆଶଙ୍କାକୁ କମାଏ ।