ଆଜି ବିଶ୍ବ ଦହିବରା ଆଳୁଦମ ଦିବସ

ଭୁବନେଶ୍ୱର, ୦୧/୦୩ : ଓଡିଆଙ୍କ ଭାରି ପ୍ରିୟ ଦହିବରା ଆଳୁଦମ। କାରଣ ଦହିବରା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି କଟକ। ଏହା ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଦେବା ସହିତ କଟକର ଏହି ଦହିବରା ଆଳୁଦମ ଖାଇବା ପାଇଁ ଦେଶ ବିଦେଶରୁ ଲୋକେ ଆସନ୍ତି। ସକାଳ ହେଉ କି ସନ୍ଧ୍ୟା ଦହିବରା ଟିକେ ନହେଲେ ମନ ମାନେନା। ତେଣୁ ଦହିବରାର ମହତ୍ଵକୁ ଆଉ ଟିକେ ଅଧିକ ପ୍ରତିପାଦିତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୧କୁ ବିଶ୍ୱ ଦହିବରା ଆଳୁଦମ ଦିବସ ରୂପେ ପାଳନ କରାଯାଏ। ଏହି ଦିବସକୁ ବେଶ ଧୂମଧାମରେ ପାଳନ କରିଥାନ୍ତି ଓଡ଼ିଶାବାସୀ। ନରମ ନରମ ଦହିରେ ଭିଜା ବରା, ଆଳୁ କଷା ସାଙ୍ଗକୁ ଗରମ ଗରମ ଘୁଘୁନି। ଦହିବରା ଖାଇସାରିଲା ପରେ ଦହିପାଣି ଆଉ ସେଓ ଖାଇବାର ମଜା ହିଁ କିଛି ଅଲଗା। ସେଥିପାଇଁ ଦଶହରା ହେଉ କି ବାଲିଯାତ୍ରା ସବୁ କଟକିଆ ସକାଳୁ ଉଠି ଚାଲି ଆସନ୍ତି ଦହିବରା ଖାଇବାକୁ। କେବଳ ପର୍ବ ନୁହେଁ ସକାଳ ଜଳଖିଆ, ସନ୍ଧ୍ୟା ଜଳିଖିଆରେ ବି ଦହିବରା କଟକିଆଙ୍କ ମୁଖ୍ୟ ଖାଦ୍ୟ। ପେଟେ ଖାଇଦେଲେ ଦିନ ଯାକ ଭାତ ବି ଖାଇବାକୁ ଇଚ୍ଛା ହୁଏନି। ସତୁରି ଅଶୀ ଦଶକରେ ବିଡ଼ାନାସୀ ଅଞ୍ଚଳର କିଛି ବେପାରୀ ସାଇକେଲରେ ଦହିବରା ହାଣ୍ଡି ଧରି ଏଠାରେ ବ୍ୟବସାୟ କରୁଥିଲେ। ସେଥିମଧ୍ୟରୁ ରଘୁ ଦହିବରାର ବହୁତ ଚାହିଦା ଥିଲା। ୧୯୯୦ ମସିହା ପରଠାରୁ ଏଠାରେ ଠେଲାଗାଡ଼ିରେ ଦହିବରା ବିକ୍ରି ଆରମ୍ଭ ହୋଇଥିଲା। ସେହିଦିନ ଠାରୁ ସମସ୍ତଙ୍କ ମଧ୍ୟରେ ଦହିବରାର ଚାହିଦା ବଢିବା ସହିତ ସମସ୍ତେ ଦହିବରା ଖାଇବାକୁ ଖୁବ ପସନ୍ଦ କରୁଥିଲେ। କେବଳ କଟକ ନୁହେଁ ଆଜିକାଲି ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି ଦହିବରା। କିନ୍ତୁ ଆଜିବି ଲୋକଙ୍କର ପ୍ରଥମ ପସନ୍ଦ କଟକ ଦହିବରା।