ଯୁଦ୍ଧ ଭିତରେ ପ୍ରଭାବିତ ହେଲା ବିମାନ ସେବା, ୧୧ ଦେଶକୁ ଉଡ଼ାଣ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୦୧/୦୩ : ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣର ଯୋଗୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ ଶନିବାର ୧୧ଟି ଦେଶର ଏୟାରସ୍ପେସରେ ଉଡ଼ାଣ ନଭରିବାକୁ ଭାରତୀୟ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଏୟାର ଇଣ୍ଡିଆ, ଇଣ୍ଡିଗୋ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଆକାଶ ଏୟାର ଓ ସ୍ପାଇସ ଜେଟ୍ ବିମାନଗୁଡ଼ିକୁ ମଧ୍ୟପ୍ରାଚ୍ୟକୁ ବିମାନ ଉଡ଼ାଣ ବାତିଲ ବା ବନ୍ଦ କରିଦେଇଛନ୍ତି । ଆକାଶପଥ ହଠାତ୍ ବନ୍ଦ ହୋଇଯିବାରୁ ଏହାର ପ୍ରଭାବ ଶହ ଶହ ବିମାନ ଉପରେ ପଡ଼ିଛି । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଅନୁୟାୟୀ, ବିଭିନ୍ନ ଏୟାରସ୍ପେସରେ ଅନେକ ବିମାନ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା ଏବଂ ଅନେକ ବିମାନର ଗତିପଥ ବଦଳାଇବାକୁ ପଡ଼ିଥିଲା । ଏୟାର ଇଣ୍ଡିଆର ଦିଲ୍ଲୀ-ତେଲ୍ ଆଭିଭ ବିମାନକୁ ଅଧାରୁ ମୁମ୍ବାଇ ଫେରିବାକୁ ପଡ଼ିଥିଲା। ଶନିବାର ସନ୍ଧ୍ୟା ୫ଟା ୪୫ ପର୍ଯ୍ୟନ୍ତ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୫୭ଟି ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଇରାନ୍, ଇସ୍ରାଏଲ୍, ଲେବାନନ୍, ୟୁଏଇ, ସାଉଦି ଆରବ, ବାହାରିନ୍, ଓମାନ୍, ଇରାକ୍, ଜୋର୍ଡାନ, କୁଏତ ଓ କତାର୍ ଭଳି ୧୧ଟି ଦେଶରୁ ଆକାଶ ମାର୍ଗକୁ ଏଡ଼ାଇ ଯିବାକୁ ଡିଜିସିଏ ପକ୍ଷରୁ କୁହାଯାଇଇଛି । ସ୍ଥିତି ଅନୁଧ୍ୟାନ କରି ନୂଆ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ମାର୍ଚ୍ଚ ୨ତାରିଖରୁ ଏହି ଆଡଭାଇଜରି କାର୍ଯ୍ୟକାରୀ ହେବ। ଅନ୍ତର୍ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି ।