ନୂଆଦିଲ୍ଲୀ, ୦୧/୦୩ : ଆଜି ଇଡେନରେ କୋଲକାତା ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ । ଆଜିର ମ୍ୟାଚ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଭାରତ ଓ ୱେଷ୍ଟଇଣ୍ଡିଜ୍ ପାଇଁ ‘କ୍ୱାର୍ଟର ଫାଇନାଲ୍’ ବା ‘ନକଆଉଟ୍’ ମ୍ୟାଚ୍ ସଦୃଶ । ଯିଏ ଜିତିବ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିବ । ଘରୋଇ ପିଚ ଓ ବର୍ତ୍ତମାନର ଫର୍ମକୁ ଦେଖିଲେ ଭାରତ ମ୍ୟାଚ୍ ରେ ଜିତିବାର ପ୍ରବଳ ଦାବିଦାର। ଭାରତ ପାଖରେ ଶକ୍ତିଶାଳୀ ବ୍ୟାଟିଂ ସହ ବୋଲିଂ ଲାଇନ୍ ଅପ୍ ରହିଛି । ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ଦଳ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। କିନ୍ତୁ ସେମାନଙ୍କ ଫର୍ମରେ ଅନିଶ୍ଚିତତା ଦେଖାଦେଇଛି । ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ରେକର୍ଡ ଦେଖିଲେ, ଓଭରଅଲ୍ ରେକର୍ଡରେ ଭାରତ ଆଗରେ ରହିଛି । ଉଭୟ ଦେଶ ୩୦ ଟି-୨୦ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ୧୯ ମ୍ୟାଚରେ ଭାରତ ବାଜି ମାରିଥିବା ବେଳେ ୧୦ ମ୍ୟାଚରେ ଜିତିଛି କାରିବିଆନ୍ ଟିମ । ଗୋଟିଏ ମ୍ୟାଚର ଫଳାଫଳ ଆସିନି । ଟି-୨୦ ବିଶ୍ୱକପ୍ ଇତିହାସରେ ୱେଷ୍ଟଇଣ୍ଡିଜ୍ ର ପଲ୍ଲା ଭାରି ଅଛି । ଉଭୟ ଦଳ ୪ ଥର ଭେଟିଥିବା ବେଳେ ୩ ମ୍ୟାଚରେ ବିଜୟବାନା ଉଡାଇଛି ୱେଷ୍ଟଇଣ୍ଡିଜ୍ । ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ତେବେ ଇଡେନ ଗାର୍ଡେନ୍ସରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କୌଣସି ଟି-୨୦ ମ୍ୟାଚ୍ ହାରିନାହିଁ । ଏଠାରେ ଖେଳାଯାଇଥିବା ୪ଟି ଯାକ ମ୍ୟାଚରେ ବାଜି ମାରିଛି ଟିମ ଇଣ୍ଡିଆ । ଇଡେନ ଗାର୍ଡେନ୍ସର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଆଜି କଲିକତାରେ ବର୍ଷା ହେବାର ସମ୍ଭାବନା କମ୍ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।