ଭୁବନେଶ୍ୱର, ୦୨/୦୩ : ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ପରେ ଏବେ ବିଜେପି ଫର୍ମ କିଣିଛି । ବିଜେପି ମୋଟ ୧୬ଟି ଫର୍ମ କିଣିଥିବା ଜଣାପଡ଼ିଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହିତ ୫ ଜଣ ବିଧାୟକ ଯାଇ ବିଧାନସଭାରୁ ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ପତ୍ରର ୧୬ଟି ସେଟ୍ କିଣିଛନ୍ତି । ବିଜେପି ୨ ଟି ଆସନ ହାତେଇବା ସ୍ପଷ୍ଟ ଥିବାବେଳେ ଆଉ ଗୋଟିଏ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଦେଇପାରେ । ଯଦି ଜଣକା ୨ଟି ଲେଖାଏଁ ସେଟ୍ ନାମାଙ୍କନ ଦାଖଲ କରନ୍ତି ତେବେ ମାତ୍ର ୬ଟି ଫର୍ମ ଆବଶ୍ୟକ । ଅଥବା ଜଣକା ୩ଟି କିମ୍ବା ୪ଟି ଲେଖାଏଁ ନାମାଙ୍କନ ଦାଖଲ କରନ୍ତି ତଥାପି ଯଥାକ୍ରମେ ୯ କିମ୍ବା ୧୨ଟି ଫର୍ମ ଆବଶ୍ୟକ । କିନ୍ତୁ ୧୬ଟି ଫର୍ମ କିଣିବା ରାଜନୈତିକ ଆଲୋଚନାକୁ ବଢ଼ାଇ ଦେଇଛି । ତେଣୁ ଦଳ ୪ ଜଣ ପ୍ରାର୍ଥୀଙ୍କ ରାଜ୍ୟସଭା ପାଇଁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସେପଟେ କିଏ ପ୍ରାର୍ଥୀ ହେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ଆଜି କିମ୍ବା ଆସନ୍ତାକାଲି ଦଳ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି । ଗତ ଶନିବାର ବିଜେଡ଼ି ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସଂତୃପ୍ତ ମିଶ୍ରଙ୍କ ତୃତୀୟ ଏବଂ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।