ଆଦିବାସୀ କାର୍ଡ ଖେଳିପାରେ ବିଜେପି, ପୂର୍ଣ୍ଣିମା ହୋଇପାରନ୍ତି ପ୍ରାର୍ଥୀ

ଭୁବନେଶ୍ୱର, ୦୨/୦୩ : ରାଜ୍ୟସଭା ନିର୍ବାଚନ ପାଇଁ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ଗୋଟିଏ ପାଦ ଆଗକୁ ଯାଇ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଏବେ ଶାସକ ଦଳ ବିଜେପିର ପାଳି । ତେବେ ନାମାଙ୍କନ ଭରିବାକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ବିଜେପି ଏ ଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେପି ପୁଣି ଏକ ଆଦିବାସୀ କାର୍ଡ ଖେଳିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି । ଗତ ୨୪ ତାରିଖରେ ପୂର୍ଣ୍ଣିମା ରେଲ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ ସର୍ଭିସ୍ (ଆରଆଇଟିଇଏସ୍) ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଏହି ବୋର୍ଡରେ ସେ ଅଣସରକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଗତ ଜୁଲାଇ ମାସରେ ରେଳ ବିଭାଗ ତାଙ୍କୁ ନିଯୁକ୍ତି ଦେଇଥିଲା । ତାଙ୍କର ଆଗାମୀ ତିନି ବର୍ଷ ଯାଏଁ କାର୍ଯ୍ୟକାଳ ଥିଲା । ମାତ୍ର ଗତ ଫେବ୍ରୁଆରୀ ୨୪ ତାରିଖରେ ସେ ଇସ୍ତଫା ଦେବା ପରେ ୨୫ ତାରିଖରେ ତାଙ୍କ ଇସ୍ତଫା ମଞ୍ଜୁର ହୋଇଯାଇଛି । ଇସ୍ତଫା ପରେ ରାଜ୍ୟସଭାକୁ ସେ ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । ବିଜେପି ପୂର୍ଣ୍ଣିମାଙ୍କ ନାମକୁ ଚୂଡ଼ାନ୍ତ କରିସାରିଥିବାବେଳେ କେବଳ ଘୋଷଣା ବାକି ରହିଥିବା କୁହାଯାଉଛି ।