ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ : ଆଜି ରାତିରେ ଇରାନ ଉପରେ ହେବ ବଡ଼ ଆକ୍ରମଣ

ନୂଆଦିଲ୍ଲୀ, ୧୧/୦୩ : ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି । ମଙ୍ଗଳବାର ରାତି ଇରାନ ଉପରେ ଆମେରିକା ସବୁଠୁ ଘାତକ ଆକ୍ରମଣ କରିବ । ପେଣ୍ଟାଗନରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ହେଗସେଥ୍ କହିଛନ୍ତି, ଇରାନ ଉପରେ ଜୋରଦାର କ୍ଷେପଣାସ୍ତ୍ର ମାଡ଼ ହେବ । ଗତ ୨୪ ଘଣ୍ଟାରେ ଇରାନ ଯୁଦ୍ଧରେ ସବୁଠୁ ଅଧିକ ମିସାଇଲ୍ ମାଡ଼ କରିଛି । ଆମେରିକା ସେନାର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାପ ଅଧ୍ୟକ୍ଷ ଜେନେରାଲ୍ ଡ୍ୟାନ କେନ୍ ଯୁଦ୍ଧରେ ଆମେରିକାର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି । କହିଛନ୍ତି, ଆମେରିକା ସେନାର ତିନି ମୁଖ୍ୟ ଲକ୍ଷ୍ୟ । ପ୍ରଥମ ଇରାନର ମିସାଇଲକୁ ସମ୍ପୂର୍ଣ୍ଣ ନଷ୍ଟ କରିବା । ଦ୍ୱିତୀୟରେ ଇରାନ ନୌସେନାକୁ ପଙ୍ଗୁ କରିବା ଓ ତୃତୀୟରେ ଇରାନର ସୈନ୍ୟ ଠିକଣା ଭିତରେ ପସି କାର୍ଯ୍ୟାନୁଷ୍ଠାନ ନେବା । ଇରାନକୁ ଆକ୍ରମଣ କରୁଛନ୍ତି ଆମେରିକା-ଇସ୍ରାଏଲ୍ । ଘନଘନ ବୋମା, କ୍ଷପଣାସ୍ତ୍ର ମାଡ଼ରେ ଥରହର ଅରବ ଦେଶ । କିନ୍ତୁ ଏହି ଯୁଦ୍ଧରେ ବିଜେତା ହେଉଛି ରୁଷ । ୟୁରୋପୀୟ ୟୁନିୟନ କାଉନସିଲ୍ ସଭାପତି ଆଣ୍ଟୋନିଓ କୋଷ୍ଟା ଯୁଦ୍ଧ ଉପରେ ବଡ଼ ବୟାନ ଦେଇ ଏହା କହିଛନ୍ତି । କୋଷ୍ଟା କହିଛନ୍ତି, ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ କେବଳ ରୁଷ ହିଁ ବିଜେତା । ବ୍ରୁସେଲ୍ସରେ ଇୟୁ ରାଜଦୂତଙ୍କୁ ସମ୍ୱୋଧିତ କରି କହିଛନ୍ତି, ଯୁଦ୍ଧ ଏବଂ ଉତ୍ତେଜନା କାରଣରୁ ତେଲ ଓ ଗ୍ୟାସ୍ ଦର ବୃଦ୍ଧି ପାଉଛି । ଆଉ ଏହାର ଲାଭ ରୁଷକୁ ମିଳୁଛି । ତେଲ ଓ ଗ୍ୟାସର ବଡ଼ ରପ୍ତାନକାରୀ ମସ୍କୋ ଉଚ୍ଚ ମୂଲ୍ୟରେ ଉର୍ଜା ବିକ୍ରି କରି ଲାଭ ପାଉଛି । ଏହି ଲାଭ ପଇସାକୁ ୟୁକ୍ରେନ ଯୁଦ୍ଧରେ ଖର୍ଚ୍ଚ କରୁଛି ।