ନୂଆଦିଲ୍ଲୀ, ୧୧/୦୩ : ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପୁରୁଷ ଟି-୨୦ ବିଶ୍ବକପ-୨୦୨୬ରେ ଚମ୍ପିଆନ ହୋଇଛି ଭାରତ । ଏଥି ସହିତ ଭାରତ ବିଶ୍ବର ପ୍ରଥମ ଦଳ ଭାବେ କ୍ରମାଗତ ଦ୍ବିତୀୟ ଥର ଟାଇଟଲ ଜିତିଛି। ତେବେ ଚାପଭରା ପରିସ୍ଥିତିରେ ଅନେକ ବ୍ୟାଟ୍ସମ୍ୟାନ ଫେଲ ମାରିଥିବାବେଳେ ଚମକିଥିଲେ ସଞ୍ଜୁ ସାମସନ। ସୂର୍ଯ୍ୟକୁମାର ଦଳକୁ ସୂଚାରୁରୂପେ ପରିଚାଳନା କରିଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଟି୨୦ରେ ସୂର୍ଯ୍ୟକୁମାରଙ୍କଠାରୁ ପୂର୍ବଭଳି ଆଉ ଖେଳ ଦେଖିବାକୁ ମିଳୁନାହିଁ। ଏହାଛଡ଼ା ତାଙ୍କ ବୟସ ମଧ୍ୟ ଅନ୍ୟତମ ସମସ୍ୟା ପାଲଟିଛି। ସୂର୍ଯ୍ୟଙ୍କୁ ଏବେ ୩୫ ବର୍ଷ। ସେ ଅତିି ବେଶିରେ ବର୍ଷେ ଦୁଇବର୍ଷ ଖେଳିପାରିବେ। ୨୦୨୮ ଟି୨୦ ବିଶ୍ବକପ ଓ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଖେଳିବା ନେଇ ମଧ୍ୟ ସୂର୍ଯ୍ୟଙ୍କ ପାଇଁ ଆଶଙ୍କା ରହିଛି। ଏବେ ପ୍ରଶ୍ନ ଉଠିବା ସ୍ବାଭାବିକ। ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଦଳର ନେତୃତ୍ବ କିଏ ନେବ। ସାମସନଙ୍କ ସ୍ଥିର ମସ୍ତିଷ୍କ ଓ ହାର୍ ନମାନିବା ଜିଦ୍ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରୁଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫ ସଞ୍ଜୁଙ୍କୁ ଭାରତୀୟ ଟି୨୦ କ୍ରିକେଟ ଦଳର ପରବର୍ତ୍ତୀ ଅଧିନାୟକ ବୋଲି କହିଛନ୍ତି। ସୂର୍ଯ୍ୟକୁମାର ଟି୨୦ ବିଶ୍ବକପ-୨୦୨୬ରେ ୩୦.୨୫ ଆଭରେଜରେ ୨୪୨ରନ କରିଥିଲେ। ତେବେ ସେମିଫାଇନାଲ ଓ ଫାଇନାଲରେ ବିଫଳ ହୋଇଥିଲେ।ସଞ୍ଜୁଙ୍କ ନିକଟରେ ବୟସ ଓ ଦକ୍ଷତା ରହିଛି। ସେ ଦୁଇ ତିନି ବର୍ଷ ମଧ୍ୟରେ ନିଜକୁ ଅଭିଜ୍ଞ ଟି୨୦ ଖେଳାଳି ଭାବେ ଉପସ୍ଥାପିତ କରିପାରିଲେ ଅଧିନାୟକ ଦାୟିତ୍ୱ ମିଳିବା ବଡ କଥା ନୁହେଁ । ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲଙ୍କ ସହ ତାଙ୍କୁ ମୁକାବିଲା କରିବାକୁ ହେବ ବୋଲି କୈଫ କହିଛନ୍ତି।