ଭୁବନେଶ୍ବର, ୧୬ : ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ ମତଦାନ କରିବା ପାଇଁ ରାଜ୍ୟ କଂଗ୍ରେସ ବିଧାୟକଙ୍କୁ ବେଙ୍ଗାଲୁରୁର ଏକ ତାରକା ରିସର୍ଟରେ ପ୍ରଲୋଭିତ କରିବା ଅଭିଯୋଗରେ କର୍ଣ୍ଣାଟକ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଉରକେଲାର ବୀରେନ୍ଦ୍ର ପ୍ରସାଦ, ସୁରେଶ, ଅଜିତ ସାହୁ ଓ ସୀମାଞ୍ଚଳ ମହାକୁଡ଼। ଘଟଣାସ୍ଥଳରୁ ବୀରେନ୍ଦ୍ର ପ୍ରସାଦ ଏବଂ ସୁରେଶ ଗିରଫ ହୋଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଅଜିତ ସାହୁ ଏବଂ ସୀମାଞ୍ଚଳ ମୁହାକୁଡ଼ ଚମ୍ପଟ ମାରିଥିଲେ। କର୍ଣ୍ଣାଟକ-ତାମିଲନାଡୁ ସୀମା ଅଞ୍ଚଳରୁ ଫେରାର ଅଭିଯୁକ୍ତ ଅଜିତ ଓ ସୀମାଞ୍ଚଳଙ୍କୁ ପୁଲିସ ରବିବାର ସନ୍ଧ୍ୟାରେ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୭୩ (୧), ୬୨, ୩୫୨, ୩୫୧(୨) ଏବଂ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୭(କ) ଏବଂ ଧାରା ୮ ଅନୁଯାୟୀ ମାମଲା ରୁଜୁ ହୋଇଛି। ବିଜେପି ସପକ୍ଷରେ କ୍ରସ ଭୋଟିଂ କରି ମତଦାନ କରିବା ଲାଗି ପ୍ରତି କଂଗ୍ରେସ ବିଧାୟକଙ୍କୁ ୫କୋଟି ଟଙ୍କା ଲେଖାଏଁ ଲାଞ୍ଚ ଯାଚିଥିବା ନେଇ ଦକ୍ଷିଣ ବେଙ୍ଗାଲୁରୁର ଡିଡ଼ାଡି ଥାନାରେ ଅଭିଯୋଗ କରିଛନ୍ତି ରାଜ୍ୟ କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ। ରବିବାର ସକାଳେ ରିସର୍ଟରେ ବିଧାୟକମାନେ ଜଳଖିଆ ଖାଉଥିବା ସମୟରେ ୪ ଅଭିଯୁକ୍ତ ଆଖପାଖରେ ବୁଲିବା ସହିତ ବିଧାୟକଙ୍କ ସହ କଥାବାର୍ତ୍ତା ହେବାକୁ ଚେଷ୍ଟା କରୁଥିଲେ। ବିଧାୟକମାନେ ଲିଫ୍ଟରେ ଗଲାବେଳେ ସେମାନେ ଯିବାକୁ ବାହାରି ଥିଲେ। ସେମାନଙ୍କ ଗତିବିଧିକୁ ନେଇ ସନ୍ଦେହ ଉପୁଜିବାରୁ ପୁଲିସକୁ ସୂଚନା ଦିଆଯାଇଥିଲା। ଅଭିଯୁକ୍ତମାନେ ଜଣେ ବିଧାୟକଙ୍କ ପିଛା ୫କୋଟି ଟଙ୍କା ଦେବାକୁ ଅଫର ଦେଉଥିଲେ ଏବଂ ବ୍ଲାଙ୍କ ଚେକ ବି ଆଣିଥିଲେ। ଏହି ବ୍ଲାଙ୍କ ଚେକ୍ରେ ବୀରେନ୍ଦ୍ର ପ୍ରସାଦଙ୍କ ଦସ୍ତଖତ ଥିବାବେଳେ ରାଉରକେଲା ଉଦିତନଗର ଏସବିଆଇ ବ୍ୟାଙ୍କ ଶାଖା ଚେକ୍ ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କ ମୋବାଇଲ କଲ୍ ବିବରଣୀ ଏବଂ ମେସେଜ୍ ଦେଖିଥିଲା। ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି, ସେମାନେ ଦିଲୀପ ରାୟଙ୍କ ଲୋକ। ମେ’ ଫେୟାର ହୋଟେଲ ଏଜିଏମ ପ୍ରମୋଦ ଜେନାଙ୍କ ନମ୍ବରରୁ ଫୋନ୍ କଲ ଏବଂ ମେସେଜ୍ ଆସିଛି। ଆମର ସନ୍ଦେହ ହେଉଛି, ଏହି ଘୋଡ଼ା ବେପାର ପାଇଁ କେବଳ ଦିଲୀପ ନୁହନ୍ତି, ମୁଖ୍ୟମନ୍ତ୍ରୀ ବି ସାମିଲ ଅଛନ୍ତି। କଂଗ୍ରେସ ବିଧାୟକଙ୍କୁ ଟଙ୍କା ଦେବାକୁ ଚେଷ୍ଟା କରିବା ସହ ଅପହରଣ କରି ନେବାକୁ ଧମକ ବି ଦେଇଛନ୍ତି ବୋଲି ସାଂସଦ ଶ୍ରୀ ଉଲାକା କହିଛନ୍ତି।