ଭୁବନେଶ୍ୱର, ୧୯/୦୩ : ଆଗାମୀ ଅପ୍ରେଲ୍ ୧୬ରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଓ ଗୃହତାଲିକା ପ୍ରସ୍ତୁତି ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଗଣନାକାରୀମାନେ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରିବେ । ଏଥର ପ୍ରଥମଥର ପାଇଁ ଡିଜିଟାଲ ଭାବରେ ଜନଗଣନା ହେବା ସହିତ ସେଲଫ- ଏନୁମେରେସନ ପୋର୍ଟାଲ ମାଧ୍ୟମରେ ଲୋକମାନେ ନିଜେ ମଧ୍ୟ ତଥ୍ୟ ଦେଇପାରିବେ। ରାଜ୍ୟର ୩୦ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିବ । ରାଜ୍ୟରେ ଜନଗଣନ ପାଇଁ ୧ ଲକ୍ଷରୁ ଅଧିକ ଗଣନାକାରୀ ଓ ୧୭ ହଜାରରୁ ଅଧିକ ସୁପରଭାଇଜର ନିଯୁକ୍ତ ହେବେ। ୯୧ଟି ଏନଏସି, ୪୮ଟି ମୁନସିପାଲଟି, ୫ଟି ମୁନସିପାଲଟି କର୍ପୋରେସନ ଓ ୨ଟି ଇଣ୍ଡଷ୍ଟ୍ରିଆଲ୍ ଟାଉନ୍ରେ ଗୃହଗଣା ଓ ଗୃହତାଲିକା ପ୍ରସ୍ତୁତି କାର୍ଯ୍ୟ ଚାଲିବ। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବେ କାମ କରିବେ। ଆସନ୍ତା ୨୦୨୭ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଗଣନା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଜନଗଣନା ଅଧିକାରୀ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନଙ୍କ ତତ୍ୱାବଧାନରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶିବରକୁ ମାଷ୍ଟର ଟ୍ରେନର ଭାବେ ଅଧ୍ୟାପକମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ତାଲିମ ୩ ଟି ପର୍ଯ୍ୟାୟରେ ହେବା ନେଇ ସୂଚନା ମିଳିଛି। କାର୍ଯ୍ୟକ୍ରମକୁ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ସମେତ ତହସିଲ କାର୍ଯ୍ୟାଳୟ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି।