ଭୁବନେଶ୍ୱର, ୧୯/୦୩ : ଆଜିଠାରୁ ରାଜ୍ୟର ୩୦ ଟି ଜିଲ୍ଲାର ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ମୂଲ୍ୟାୟନ ପାଇଁ ବିଭିନ୍ନ ବିଷୟର ପ୍ରାୟ ୧୫ ହଜାର ବରିଷ୍ଠ ସଵଜେକ୍ଟ ଏକ୍ସପର୍ଟଙ୍କୁ ନିୟୋଜିତ କରିଛି ବୋର୍ଡ। ଚଳିତ ବର୍ଷ ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା । ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ରାଜ୍ୟର ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ। ଖାତା ଦେଖା ପାଇଁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କିଛି ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ସେମାନେ ମେଡ଼ିକାଲ ସାର୍ଟିଫିକେଟ ସହ ବୋର୍ଡକୁ ଆବେଦନ କଲେ ଖାତା ଦେଖାରୁ ବିରତ ରହି ପାରିବେ ବୋଲି ବୋର୍ଡ ସୂଚନା ଦେଇଛି। ଯେଉଁମାନେ ଚିଠି ପାଇ ଖାତା ଦେଖାରେ ଯୋଗ ଦେବେ ନାହିଁ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋର୍ଡ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ଏକ୍ସପର୍ଟ ଅନୁସାରେ ନିଜ ଅଞ୍ଚଳରେ ଖାତା ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଖାତା ଦେଖାରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ସଠିକ ଭାବେ ଖାତା ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋର୍ଡ।