ରାଜ୍ୟରେ କଲବଲ କରିବ କାଳବୈଶାଖୀ, ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର, ୨୩/୦୩ : ରାଜ୍ୟରେ କଲବଲ କରିବ କାଳବୈଶାଖୀ । ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି । ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ଏସ୍ ଆରସିଙ୍କ ପକ୍ଷରୁ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ପ୍ରଭାବରେ କୌଣସି ସ୍ଥାନରେ କ୍ଷୟକ୍ଷତି ହେଲେ ତୁରନ୍ତ ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ବାଲେଶ୍ବର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ବଜ୍ରପାତ ନେଇ ସତର୍କ କରାଯାଇଛି । କୋହଲା ପାଗ ଯୋଗୁଁ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୬ରୁ ୭ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଉପକୂଳ ଓ ଉତ୍ତର ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ ।