ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ, ଯୁଦ୍ଧ ଆମେ ଜିତି ସାରିଛୁ ଇରାନ ବୁଝାମଣା ପାଇଁ ବ୍ୟାକୁଳ

ନୂଆଦିଲ୍ଲୀ, ୨୫/୦୩ : ଇରାନ ଯୁଦ୍ଧ ନେଇ ଟ୍ରମ୍ପଙ୍କ ବଡ଼ ବୟାନ । ଆମେ ଜିତି ସାରିଛୁ, ଇରାନ ଏବେ ବୁଝାମଣା ପାଇଁ ବ୍ୟାକୁଳ । ଇରାନରେ ଆମକୁ ବଡ଼ ସଫଳତା ମିଳିଛି । ସେମାନଙ୍କ ପାଖରେ ଏବେ ନା ଅଛି ନୌସେନା, ନା ବାୟୁସେନା କିମ୍ବା କୌଣସି ରାଡାର୍। ସେମାନଙ୍କର ନେତାମାନେ ମଧ୍ୟ ଆଉ ନାହାନ୍ତି। ଏହି ପରିସ୍ଥିତିରେ ସେମାନେ ଏକ ଚୁକ୍ତି ବା ବୁଝାମଣା କରିବାକୁ କେତେ ବ୍ୟାକୁଳ, ତାହା ଆପଣ କଳ୍ପନା କରିପାରିବେ ନାହିଁ। ତେବେ ଆଗକୁ କ’ଣ ହେଉଛି ଦେଖାଯିବ ବୋଲି ଟ୍ରମ୍ପ କହିଛନ୍ତି । ଇରାନ ସହ ଆଲୋଚନାରେ ସବୁଠୁ ବଡ଼ ସର୍ତ୍ତ ହେଉଛି, ସେମାନେ କଦାପି ପରମାଣୁ ଅସ୍ତ୍ର ରଖିପାରିବେ ନାହିଁ। ଆମେରିକା ଇରାନରେ ଯୁଦ୍ଧ ଜିତି ସରିଛି । କେବଳ ମିଛ ଖବର ପ୍ରସାରଣ କରୁଥିବା ମିଡିଆ ଏହାକୁ ଚାଲୁ ରଖିବାକୁ ଚାହୁଁଛି । ଅନ୍ୟପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ରୋକିବାରେ ମଧ୍ୟସ୍ଥତା ପାଇଁ ଆଗେଇ ଆସିଛନ୍ତି ପାକିସ୍ତାନ ପିଏମ ଶେହବାଜ ସରିଫ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଉଭୟ ପକ୍ଷ ରାଜି ହୁଅନ୍ତି, ତେବେ ପାକିସ୍ତାନ ଏହି ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଆତିଥ୍ୟ ପ୍ରଦାନ କରିବାକୁ ପ୍ରସ୍ତୁତ। ସେ ଇରାନ ରାଷ୍ଟ୍ରପତିଙ୍କ ସହ ମଧ୍ୟ ଏହି ବିଷୟରେ କଥା ହୋଇଛନ୍ତି। ତେବେ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ପାକିସ୍ତାନର ଏହି ପ୍ରସ୍ତାବକୁ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରି ଏହାକୁ ସମର୍ଥନ କରୁଥିବା ସଙ୍କେତ ଦେଇଛନ୍ତି ।