ଆଜି ରଥକାଠ ଚିରଟ କାର୍ଯ୍ୟର ଅନୁକୁଳ

ଭୁବନେଶ୍ୱର, ୨୭/୦୩ : ଆଜି ଶ୍ରୀରାମ ନବମୀରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବ। ଜୁଲାଇ ୧୬ରେ ରଥଯାତ୍ରା ତାରିଖରେ ରଥଯାତ୍ରା ଥିବା ବେଳେ କଟକ ଖପୁରିଆ କରତକଳରେ ରଥ କାଠ ଚିରଟ ହେବ। ଆଜି ଶ୍ରୀମନ୍ଦିରରୁ ଅଜ୍ଞାମାଳ, ମହାପ୍ରସାଦ ନେଇ ଏକ ଟିମ୍ କଟକ ଅଭିମୁଖେ ଯାତ୍ରା କରିବେ। କଟକ ଖପୁରିଆସ୍ଥିତ ସ’ ମିଲରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ ଆରମ୍ଭ ହେବ। ଭାରପ୍ରାପ୍ତ ବରିଷ୍ଠ ତତ୍ତ୍ବାବଧାରକ ଚିତ୍ତରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଚିରଟ ପ୍ରକ୍ରିୟା ଅନୁକୂଳ କରିବେ। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସମେତ ତିନି ରଥର ମୁଖ୍ୟ ମହାରଣା, ଅମିନ, ଭୋଇ ସର୍ଦାର ଉପସ୍ଥିତ ରହିବେ। ତିନିଟି ଧଉରା କାଠକୁ ଚିରଟ କରାଯିବ। ଆସନ୍ତା ଏପ୍ରିଲ ୨୦ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବା ପରମ୍ପରା ରହିଛି। ଆଜି ଚୈତ୍ର ଶୁକ୍ଲ ତିଥି ପବିତ୍ର ରାମନବମୀ। ଏଥିପାଇଁ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ । ମଧ୍ୟାହ୍ନଧୂପ ପରେ ଏହି ନୀତି ପାଳନ କରାଯିବ। ଏଥିପାଇଁ ଆଜି ଶ୍ରୀମନ୍ଦିରରାମ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ।