ରାଜ୍ୟରେ ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୨୧ ୟେଲୋ ଆଲର୍ଟ, ବିଜୁଳି ସହ କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୭/୦୩ : ଆଗାମୀ ୭ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ରାଜ୍ୟର ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା, ପବନ ଓ ବିଜୁଳି ଘଡ଼ଘଡ଼ି ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଓଡ଼ିଶା ଏବଂ ତାର ପାଖାପାଖି ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର୍ ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେଥିପାଇଁ ୨୭ ତାରିଖ ଠାରୁ ଆରମ୍ଭ କରି ଏପ୍ରିଲ ୨ ତାରିଖ ଯାଏ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି ପାଇଁ ରାଜ୍ୟର ଚାରୋଟି ଜିଲ୍ଲା ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ ଓ ବାଲେଶ୍ୱରକୁ ବର୍ଷା ଓ ପବନ ହେବାର ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ବର୍ଷା, ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଝଟକା ପବନ ଦେବ । ସେହିପରି କିଛି କିଛି ସ୍ଥାନରେ କୁଆପଥର ବର୍ଷା ହେବାର ଆକଳନ କରାଯାଇଛି ।

ରାଜ୍ୟର ୨୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ବରଗଡ଼ । ଏହି ସମୟରେ ବର୍ଷା, ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ଦେବ । ଗଞ୍ଜାମ ଓ ଗଜପତିରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ରହିବ । ସେହିପରି କିଛି କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପୁର ୟେଲୋ ସତର୍କତା ସୂଚନା ଜାରି କରାଯାଇଛି । ସେହିପରି ୨୯ ଏବଂ ୩୦ ତାରିଖ ପାଇଁ ମାଲକାନଗିରି, କୋରାପୁଟ ଏବଂ ମୟୂରଭଞ୍ଜ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଆଗାମୀ ୩୦ ଓ ୩୧ ତାରିଖ ପାଇଁ ୮ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ମାର୍ଚ୍ଚ ୩୧ ଓ ଏପ୍ରିଲ ୧ ତାରିଖ ପାଇଁ ୧୭ ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ୟେଲୋଆଲର୍ଟରେ ରହିଛି ।