ମହିଳାଙ୍କ ପାଇଁ ଖୁସି ଖବର; ଏପ୍ରିଲ ୧ରୁ ସୁଭଦ୍ରା ଆବେଦନ

ଭୁବନେଶ୍ୱର, ୨୮/୦୩ : ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ସୁଭଦ୍ରା ଯୋଜନା ଅଧୀନରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ । ଆବେଦନ ଅବଧି ୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬ ରହିଥିବା ରହିଛି । ୦୧.୦୪.୨୦୨୬ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଯୋଗ୍ୟ ବିବେଚିତ ହିତାଧିକାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କାର ସହାୟତା ରାଶି ପାଇବେ । ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନାହାଁନ୍ତି, କେବଳ ସେହିମାନେ ହିଁ ଏହି ସମୟସୀମା ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ । ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣୀୟ ହେବ ନାହିଁ । ନୂତନ ଆବେଦନଗୁଡିକ ସାଧାରଣ ସେବା କେନ୍ଦ୍ର (CSC) ଏବଂ ଆମ ସେବା କେନ୍ଦ୍ର (ASK) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ । ଫର୍ମ ଉପଲବ୍ଧତା ଆବେଦନ ପାଇଁ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡି କେନ୍ଦ୍ର (AWC) ଏବଂ CDPO କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଉପଲବ୍ଧ ଅଛି ।