ବଲାଙ୍ଗୀର : ପବିତ୍ର ରାମ ନବମୀ ଶୋଭାଯାତ୍ରାରେ ସର୍ବସାଧାରଣରେ ଏକାଧିକ ଥର ଗୁଳି ଫୁଟାଇ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଜେପି ବିଧାୟକ ନବୀନ ଜୈନ ବିବାଦୀୟ ହୋଇପଡିଛନ୍ତି । ପ୍ରଥମେ ନକଲି ପିସ୍ତଲ କହି କଥା ବାଆଁରାଉଥିବା ବିଧାୟକଙ୍କ ନିକଟରୁ ଅସଲି ପିସ୍ତଲ ପୁଲିସ ଜବତ କରିଛି। ଫାଙ୍କା ଗୁଳି ଚାଳନାରେ ବିଧାୟକଙ୍କ ପାଖେ ପାଖେ ରଖି ସହଯୋଗ କରୁଥିବା ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଟିଟିଲାଗଡ଼ ଥାନାରେ ସମସ୍ତ ପକ୍ଷଙ୍କ ନାମରେ ମାମଲା ରୁଜୁ ହୋଇଛି।
ଟିଟିଲାଗଡ଼ ସହର ଠିକାଦାରପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଶୁକ୍ରବାର ଭବ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାକାରୀ ନଗର ପରିଭ୍ରମଣ କରୁଥିଲେ। କୁନି କୁନି ପିଲାମାନେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଭୂମିକାରେ ସଜେଇ ହୋଇ ଏକ ସୁସଜ୍ଜିତ ରଥରେ ବସିଥିଲେ। ରାମ ନାମରେ ସମଗ୍ର ସହର ପ୍ରକମ୍ପିତ ହେଉଥିଲା। ଶତାଧିକ ପୁରୁଷ, ମହିଳା ଶୋଭାଯାତ୍ରାରେ ସାମିଲ ହୋଇ ଡିଜେ ଧୁନ୍ରେ ମତୁଆଲା ହୋଇ ରାସ୍ତା ସାରା ନାଚ ଗୀତରେ ମସଗୁଲ ଥିଲେ। ଶାସ୍ତ୍ରୀ ଛକରେ ଶୋଭାଯାତ୍ରା ପହଞ୍ଚିବା ପରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ସାମିଲ ହୋଇଥିଲେ। ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ପାଖକୁ ଡାକିଥିଲେ। ଟିକେ ପଛକୁ ବୁଲି ହାତରେ କଳା ରଙ୍ଗର ପିସ୍ତଲ ଧରି ଉପରକୁ ଉଠାଇଥିଲେ। ପରେ ପିସ୍ତଲକୁ ସର୍ବ ସମ୍ମୁଖରେ ସିନେମା ଷ୍ଟାଇଲରେ ପିସ୍ତଲକୁ ନିଜ ଅଣ୍ଟାରେ ଖୋସିଥିଲେ।
କେବଳ ଶାସ୍ତ୍ରୀ ଛକ ନୁହେଁ, ପୁରୁଣା ବ୍ୟାଙ୍କ ଛକରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା l ବିଧାୟକ ଶ୍ରୀ ଜୈନ ଉପରକୁ ଗୁଳି ଚାଳନା କରିଥିବା ବେଳେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ପ୍ରେମଚନ୍ଦ ନାଗ ଗୁଳି ଚାଳନା ସମୟରେ ହାତ ଉପରକୁ କରି ଧରୁଥିବା ବି ଦେଖିବାକୁ ମିଳିଥିଲା। ସର୍ବସାଧାରଣ ଓ ଟିଟିଲାଗଡ଼ ପୁଲିସ ଉପସ୍ଥିତିରେ ବିଧାୟକ ବାରମ୍ବାର ନିଜ ପିସ୍ତଲରୁ ଗୁଳି ଚାଳନା କରୁଥିଲେ ତାହା ସମସ୍ତଙ୍କୁ ଚକିତ କରିଛି। ଉପସ୍ଥିତ ପୁଲିସ କର୍ମଚାରୀ କ’ଣ ପାଇଁ ବିଧାୟକଙ୍କୁ ଗୁଳି ଚାଳନା ନେଇ ବାରଣ କରି ନଥିଲେ ବୋଲି ପ୍ରଶ୍ନ ହେଉଛି।
ପ୍ରଥମ ଥର ପାଇଁ ଏକ ପିସ୍ତଲ ଲାଇସେନ୍ସ ନେଇ ରଖିଥିବା ବିଧାୟକ ଶ୍ରୀ ଜୈନଙ୍କୁ ଏଭଳି ଅନୁମତି ଦେଲା କିଏ ? ପୁଣି ସବୁ ସ୍ଥାନରେ ତାଙ୍କ ହାତକୁ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଉପରକୁ ଟେକି ରଖୁଥିବା ଦେଖା ଯାଇଥିଲା। ଏସଂପର୍କରେ ଟିଟିଲାଗଡ଼ ବିଧାୟକ ଶ୍ରୀ ଜୈନଙ୍କ ପ୍ରତିକ୍ରିୟା ଫୋନ ଯୋଗେ ନେବାରୁ ଏହା ନକଲି ପିସ୍ତଲ ଥିଲା। ରାମ ନବମୀ ଶୋଭାଯାତ୍ରାରେ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ଗୁଳି ଫୁଟାଇଥିବା ସେ କହିଥିଲେ। ଖବର ସଂପର୍କରେ ଖୋଳତାଡ଼ ଓ ମାମଲା ସମ୍ବେଦନଶୀଳ ହେଉଥିବାରୁ ଜିଲ୍ଲା ପୁଲିସ ଏହାକୁ ଗୁରୁତର ସହ ନେଇଛି।
ମିଳିଥିବା ସୂଚନା ଅନୁସାରେ, ବିଧାୟକ ବ୍ୟବହାର କରିଥିବା ପିସ୍ତଲ ପୁଲିସ ଜବତ କରିଛି। ସେହି ପିସ୍ତଲରୁ ବିଧାୟକ ଶ୍ରୀ ଜୈନ ତିନି ରାଉଣ୍ଡ ଗୁଳି ଫୁଟାଇଥିବା ଏସ୍ପି ଅଭିଳାଷ ଜୀ ସ୍ପଷ୍ଟ କରିଛନ୍ତି। ଦାୟିତ୍ବ ପରିଚାଳନାରେ ଅବହେଳା କରିଥିବା ଅଭିଯୋଗରେ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ପ୍ରେମଚନ୍ଦ ନାଗଙ୍କୁ ଜିଲ୍ଲା ପୁଳିସ ପକ୍ଷରୁ ନିଲମ୍ବିତ କରାଯାଇଛି ଓ ଘଟଣାର ସମସ୍ତ ପକ୍ଷଙ୍କ ନାମରେ ଟିଟିଲାଗଡ଼ ଥାନାରେ ମାମଲା ରୁଜୁ କରାଯାଇଥିବା ଏସ୍ପି ଶ୍ରୀ ଜୀ କହିଛନ୍ତି।