ଭୁବନେଶ୍ୱର, ୦୧/୦୪ : ବଦଳିଲା ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟ । ପ୍ରତିବର୍ଷ ଭଳି ଗ୍ରୀଷ୍ମଋତୁ ସାଙ୍ଗକୁ ଦିନ ବଡ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆଜିଠୁ ସେପ୍ଟେମ୍ବର ୩୦ ଯାଏ ସକାଳ ୭ଟା ୩୦ରେ ଖୋଲି ସନ୍ଧ୍ୟା ୫ଟା ୩୦ଟାରେ ବନ୍ଦ ହେବ । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ପୁର୍ବରୁ ଶୀତକାଳୀନ ଭ୍ରମଣ ପାଇଁ ଦିନ ଛୋଟ ଥିବାରୁ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ଉଭୟ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଖୋଲା ରହୁଥିଲା। ଟିକେଟ ବୁକିଂ କରିବାର ଶେଷ ସମୟ ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ। ପୂର୍ବଭଳି ପ୍ରତି ସୋମବାର ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।ନନ୍ଦନକାନନକୁ ଆସିବେ ନୂଆ ଅତିଥି । ୩ ପ୍ରଜାତିର ୧୮ ଜୀବଜନ୍ତୁ ଆସିବେ ନନ୍ଦନକାନନ । ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ଚଳିତବର୍ଷର ଦ୍ଵିତୀୟ ପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି । ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ଗୁଜୁରାଟର ଜୁନାଗଡ଼ ସକ୍କରବାଗ ଚିଡ଼ିଆଖାନା ମଧ୍ୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ହୋଇଛି । କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅନୁମୋଦନ ପରେ ଚଳିତ ବର୍ଷର ଏହା ଦ୍ଵିତୀୟ ପର୍ଯ୍ୟାୟ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ହୋଇଛି ।