ଭୁବନେଶ୍ୱର, ୦୧/୦୩ : ବିଜୁ ବାବୁଙ୍କ ଉପରେ ମନ୍ତବ୍ୟ ନେଇ କ୍ଷମା ମାଗିଲେ ସାଂସଦ ନିଶିକାନ୍ତ ଦୁବେ । ବିଜୁ ବାବୁ ଆମ ପାଇଁ ସବୁ ବେଳେ ଶୀର୍ଷ ରାଷ୍ଟ୍ରନାୟକ ରହିଛନ୍ତି ଓ ରହିବେ । ତାଙ୍କ ମନ୍ତବ୍ୟ ଯଦି କାହାର ଭାବନାକୁ ଆଘାତ ଦେଇଥିବ ତେବେ ସେ ନିସର୍ତ୍ତ କ୍ଷମା ଚାହୁଁଛନ୍ତି ବୋଲି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଗତ ସପ୍ତାହରେ ମିଡିଆରେ ନେହରୁ-ଗାନ୍ଧୀ ପରିବାର ବିଷୟରେ କହିବାକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତର ଅଗ୍ରଣୀ ନେତା ଆଦରଣୀୟ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ କହିଥିଲେ । ତାଙ୍କ କଥାରୁ ଭୁଲ ଅର୍ଥ ବାହାର କରାଯାଇଥିଲା । ସେହି ମନ୍ତବ୍ୟ ବକ୍ତବ୍ୟ ଥିଲା ନେହରୁଙ୍କ ଉପରେ ମନ୍ତବ୍ୟକୁ ବିଜୁ ବାବୁଙ୍କ ଉପରେ ମନ୍ତବ୍ୟ ବୋଲି ବୁଝାଗଲା ବୋଲି ନିଶିକାନ୍ତ ଦୁବେ ଲେଖିଛନ୍ତି । କିଛି ଦିନ ତଳେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟନାକୁ ନେଇ ବର୍ଷିଥିଲେ ନବୀନ । ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ ବୋଲି କହିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ମାନସିକ ଭାବେ ଅସୁସ୍ଥ ଅଛନ୍ତି ବୋଲି କହିଥିଲେ । ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ମୋତେ ଆଶ୍ଚର୍ଯ୍ୟ ଚକିତ କରିଛି । ଓଡ଼ିଶାର ବର୍ଗ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ନିଶିକାନ୍ତ ଦୁବେ।