କିଟ୍‍ ରେ ହେବ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ

ଭୁବନେଶ୍ୱର, ୧୨/୦୪ : ଆସନ୍ତା ୧୮ ତାରିଖରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଯାଉଥିବା ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ । ଏଥିରେ ଯୋଗଦେବା ପାଇଁ ପ୍ରତିଯୋଗୀମାନେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । କିଟ୍‍ ଓ କିସ୍‍ ପକ୍ଷରୁ ସେମାନଙ୍କୁ ଆଜି ବିମାନବନ୍ଦରରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମସ୍ତେ କିଟ୍‍ କ୍ୟାମ୍ପସରେ ରହିବେ । ଏହା ବ୍ୟତୀତ ଆଜିଠୁ ସାତ ଦିନ ଧରି ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହା ମଧ୍ୟରେ ସେମାନେ ପୁରୀ, କୋଣାର୍କ ଓ ସ୍ଥାନୀୟ ଐତିହ୍ୟସ୍ଥଳ ମଧ୍ୟ ପରିଦର୍ଶନ କରିବେ । ୧୪ ତାରିଖରେ ପଣା ସଂକ୍ରାନ୍ତି ପଡ଼ୁଥିବାରୁ ଏହି ପ୍ରତିଯୋଗୀମାନେ ସମ୍ପୂର୍ଣ୍ଣ ଓଡ଼ିଆ ପରମ୍ପରା ପାଳନ କରିବେ । କିଟରେ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ ଆୟୋଜନ ନେଇ କିଟ୍‍ ବିଶ୍ୱବିଦ୍ୟାଳୟ ଓ ଫେମିନା ମିସ୍ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଫେମିନା ମିସ୍ ଇଣ୍ଡିଆ କର୍ତ୍ତୃପକ୍ଷ ଦୀର୍ଘ ୪ ମାସ ପୂର୍ବରୁ କିଟ୍ ଓ କିସ୍ ପରିଦର୍ଶନ କରି ଏହାର ଭିତ୍ତିଭୂମି ବୁଲି ଦେଖିଥିଲେ । କିଟର ଅତି ସୁନ୍ଦର ଓ ମନୋରମ ଭିତ୍ତିଭୂମି ଦେଖି ଏଠାରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଫେମିନା ମିସ୍ ଇଣ୍ଡିଆ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।