ଢାବା ଭିତରେ ଦେହ ବ୍ୟବସାୟ ସହ ନିଶା କାରବାର : ୫ ଗିରଫ

ଭୁବନେଶ୍ୱର, ୨୦/୦୪ : ଢାବା ଭିତରେ ଚାଲିଥିଲା ଦେହ ବ୍ୟବସାୟ ସହ ନିଶା କାରବାର । ଅଚାନକ ଚଢ଼ଉ ବେଳେ ରାଣୀ ମହୁମାଛି ସହ ବିପୁଳ ପରିମାଣରେ ମଦ ଜବତ । ମାଲିକ ଓ ମାଲିକାଣୀ ସମେତ ୫ ଜଣଙ୍କ ଗିରଫ କରିଛି ବରଗଡ଼ ଗ୍ରାମାଞ୍ଚଳ ପୋଲିସ । ଧାଙ୍ଗେର ଜୟ ଦୁର୍ଗା ଢାବାରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ଗ୍ରାମାଞ୍ଚଳ ଥାନାର ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଢାବାରେ ଅତର୍କିତ ଚଢ଼ଉ କରିଥିଲା । ଢାବା ଭିତରେ ପଶିବା ପରେ ପୋଲିସ ଆଖି ଟେରା ହୋଇଯାଇଥିଲା । ଢାବାରେ ଚାଲିଥିଲା ଦେହ ବ୍ୟବସାୟ । ଜଣେ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛନ୍ତି । ଏହା ସହିତ ଢ଼ାବା ମାଲିକ ଧାଙ୍ଗେର ଗ୍ରାମର ଆତ୍ମାରାମ ପଣ୍ଡା, ତାଙ୍କ ସ୍ତ୍ରୀ ପ୍ରଣତି ପଣ୍ଡାଙ୍କ ଓ ୩ ଜଣ ଗ୍ରାହକ ନିମାଇଁ ସାହୁ, ସୁମନ୍ତ ସାହୁ ଏବଂ ମଦନ ବଂଛୋରଙ୍କୁ ପୋଲିସ ଗିରଫ କରିଛି । ଏହା ସହିତ ଢ଼ାବାରୁ ୨୬୩ ଲିଟର ବିଦେଶୀ ମଦ ଓ ୨୬,୨୬୦ ନଗଦ ଟଙ୍କା ସହ ଆପତ୍ତିଜନକ ସାମଗ୍ରୀ ଏବଂ ଦୁଇଟି ବାଇକ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି । ଏହି ରାକେଟରେ ଆଉ କିଏ ସାମିଲ ଅଛନ୍ତି ନା ନାହିଁ ସେନେଇ ଖୋଳତାଡ଼ ଜାରି ରଖିଛି ।