ଭୁବନେଶ୍ୱର, ୨୯/୦୫ : ସହମତିରେ ହୋଇଥିବା ଶାରୀରିକ ସମ୍ପର୍କକୁ ପରେ ବଳାତ୍କାର ମାମଲାର ରୂପ ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଅଭିଯୁକ୍ତ ପଙ୍କଜ ଚୌଧୁରୀଙ୍କ ପକ୍ଷରୁ ଆଗତ ରିଟ୍ ଅପିଲ୍ର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍.କେ. ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି। ଏହି ଅବସରରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ରଦ୍ଦ କରିବା ସହ ଅଭିଯୁକ୍ତକୁ ଛାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ପୀଡ଼ିତାଙ୍କ ସ୍ବାମୀ ୨୦୨୨ ମେ ୨୧ ବାଲିଯାତ୍ରା ଦେଖିବାକୁ ଯାଇଥିବା ସମୟରେ ଘରେ ପଶି ବଳତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ପୀଡ଼ିତାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିଲେ। ଏହି ଏତଲା ଆଧାରରେ ପୁଲିସ୍ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଥିଲା। ଅଭିଯୁକ୍ତ ବିରୋଧରେ ବଳାତ୍କାର ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ମାମଲାରେ ଜୟପୁରର ଅତିରିକ୍ତ ସେସନ୍ସ ଜଜ୍(ଫାଷ୍ଟ ଟ୍ରାକ) ସ୍ପେସାଲ କୋର୍ଟ ୨୦୨୫ ଜୁଲାଇରେ ପଙ୍କଜଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର କାରାଦଣ୍ଡ ଶୁଣାଇଥିଲେ। ଏହି ଦଣ୍ଡାଦେଶ ବିରୋଧରେ ପଙ୍କଜ ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଅଦାଲତ ବିଭିନ୍ନ ପକ୍ଷଙ୍କୁ ଶୁଣିବା ପରେ କହିଛନ୍ତି ଯେ, ମାମଲାର ପରିସ୍ଥିତିରୁ ଏହା ପରସ୍ପର ସହମତିରେ ହୋଇଥିବା ସମ୍ପର୍କ ପରି ଜଣାପଡ଼ୁଛି। ସହମତିରେ ହୋଇଥିବା ଶାରୀରିକ ସମ୍ପର୍କକୁ ପରବର୍ତ୍ତୀ ସମୟରେ ବଳାତ୍କାର ଆଖ୍ୟା ଦିଆଯାଇପାରିବ ନାହିଁ । ପୀଡ଼ିତାଙ୍କ ଶରୀରରେ କୌଣସି ଚିହ୍ନ କିମ୍ବା ଆଘାତ ମିଳିନଥୁଲା ବୋଲି ମେଡିକାଲ ଅଫିସରଙ୍କ ସାକ୍ଷ୍ୟ ଦର୍ଶାଉଛି । ଘଟଣା ଘଟିବା ପରେ ବିଳମ୍ବରେ ଏଫ୍ଆଇଆର୍ ଦାଏର କରିବାରେ କୌଣସି ସନ୍ତୋଷଜନକ ଉତ୍ତର ଦିଆଯାଇ ପାରି ନାହିଁ । ଅନ୍ୟ ପକ୍ଷରେ ପୀଡ଼ିତା ନିଜେ ସ୍ବୀକାର କରିଛନ୍ତି ଯେ ଅଭିଯୁକ୍ତ ଜଣକ ତାଙ୍କ ସ୍ବାମୀଙ୍କ ପରିଚିତ ଥିଲେ ଏବଂ ସେମାନଙ୍କ ଘରକୁ ପ୍ରାୟତଃ ଯାତାୟାତ କରୁଥିଲେ।