ଭୁବନେଶ୍ୱର, ୧୫/୦୭ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଶ୍ରୀକ୍ଷେତ୍ର ପୁରୀରେ ଲଗାଣ ବର୍ଷା ଜାରି ରହିଛି। ବଡ଼ଦାଣ୍ଡ, ଜଗନ୍ନାଥ କଲୋନୀ ସମେତ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀର ଏଭଳି ସ୍ଥିତି ଲୋକଙ୍କ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ସହରରେ ସର୍ବାଧିକ ୧୭୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କୋଣାର୍କରେ ୧୦୦ ମିଲିମିଟର, ଅସ୍ତରଙ୍ଗରେ ୫୧ ମିଲିମିଟର ଏବଂ କାକଟପୁରରେ ୪୬ ମିଲିମିଟର ବର୍ଷା ହୋଇଛି। ପରିସ୍ଥିତିକୁ ଦେଖି ପାଣିପାଗ ବିଭାଗ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଏବଂ ଆହୁରି ବର୍ଷାର ସମ୍ଭାବନା ଥିବା ସୂଚନା ଦେଇଛି।
ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ରାସ୍ତାରେ ପାଣି ଜମି ରହିଥିବାରୁ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଧୀର ଗତିରେ ଚଳାଚଳ କରୁଛି। ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ମଧ୍ୟ ଦେଖାଦେଇଛି। ବ୍ୟବସାୟ, ଦୈନନ୍ଦିନ କାର୍ଯ୍ୟକଳାପ ଓ ସାଧାରଣ ଜୀବନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଡ୍ରେନ୍ଗୁଡ଼ିକର ଠିକ୍ ସମୟରେ ସଫେଇ ହୋଇନଥିବାରୁ ବର୍ଷାଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇ ଜଳବନ୍ଦୀ ପରିସ୍ଥିତି ଉପୁଜିଛି। ସମୁଦ୍ର ମଧ୍ୟ ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପ୍ରଶାସନ କଡ଼ା ପରାମର୍ଶ ଦେଇଛି। ଫଳରେ ଟ୍ରଲର, ଯନ୍ତ୍ରଚାଳିତ ଡଙ୍ଗା ଓ ଟାପ୍ପାଗୁଡ଼ିକ ମାଛଧରା ଘାଟରେ ଅଟକି ରହିଛି। ଏହାର ପ୍ରଭାବ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ମଧ୍ୟ ପଡ଼ିଛି।
ପ୍ରଶାସନ ପକ୍ଷରୁ ଜଳବନ୍ଦୀ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଉଛି। ଲୋକଙ୍କୁ ଅନାବଶ୍ୟକ ଘରୁ ବାହାରକୁ ନଯିବା, ଜଳମଗ୍ନ ରାସ୍ତାରେ ସତର୍କତାର ସହ ଯାତାୟାତ କରିବା ଏବଂ ସମୁଦ୍ରକୂଳଠାରୁ ଦୂରେ ରହିବାକୁ ପରାମର୍ଶ ଦିଆଯାଇଛି। ଲଘୁଚାପର ପ୍ରଭାବ ଆଗାମୀ କିଛି ସମୟ ଯାଏଁ ଜାରି ରହିବାର ସମ୍ଭାବନା ଥିବାରୁ ପୁରୀବାସୀଙ୍କ ଚିନ୍ତା ଆହୁରି ବଢ଼ିଛି।