ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ସାଢ଼େ ୯ଟାରେ ପହଣ୍ଡି, ଅପରାହ୍‌ଣ ୪ଟାରେ ଗଡ଼ିବ ରଥ

ଭୁବନେଶ୍ୱର, ୧୬/୦୭ : ବିଶ୍ବନିୟନ୍ତାଙ୍କ ନବଦିନାତ୍ମକ ‌‌ଘୋଷଯାତ୍ରା ଆଜି ଠାରୁ ଆରମ୍ଭ ହେଉଛି। ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତମାନଙ୍କର ଭିଡ଼ ବଢ଼ିବାରେ ଲାଗିଛି। କଳା ସାଆନ୍ତଙ୍କ ଆଗମନକୁ ଚାହିଁ ରହିଛି କୋଟି ଭକ୍ତଙ୍କ ଆଖି। ଏସବୁ ଭିତରେ ପୁରୀରେ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା। ସତେ ଯେମିତି କାଳିଆ ସାଆନ୍ତ ବଡ଼ଦାଣ୍ଡକୁ ଓହ୍ଲାଇବା ପୂର୍ବରୁ ସାରା ପଥକୁ ଜଳରେ ଧୋଇ ପବିତ୍ର କରୁଛନ୍ତି ସ୍ୱୟଂ ଇନ୍ଦ୍ରଦେବ। ପ୍ରବଳ ବର୍ଷା ସତ୍ତ୍ୱେ ଭକ୍ତଙ୍କ ଉତ୍ସାହରେ କୌଣସି କମି ଦେଖିବାକୁ ମିଳିନାହିଁ। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନି ରଥ ଏବେ ଦଣ୍ଡାୟମାନ ହୋଇଛନ୍ତି । ସିଂହଦ୍ୱାରରେ ୩ ରଥ ମହାପ୍ରଭୁଙ୍କ ସମ୍ମତି ସୂଚକ ଆଜ୍ଞାମାଳ ବିଜେ ହେବା ପରେ ଗତକାଲି ଅପରାହ୍‌ଣରେ ରଥଖଳାରୁ ତିନି ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜକୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ରଥ ଚକଡ଼ାକୁ ଟଣାଯାଇଥିଲା। ସୁରକ୍ଷାକର୍ମୀ ଓ ଶ୍ରଦ୍ଧାଳୁମାନେ ମିଳିତ ଭାବେ ରଥକୁ ଟାଣି ଆଣିଥିବା ବେଳେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ବଡ଼ଦେଉଳର ରତ୍ନବେଦୀରୁ କୋଟି କୋଟି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବେ ବ୍ରହ୍ମାଣ୍ଡ ଠାକୁର।

ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଛି। ଏହାପରେ ସକାଳ ୭ଟାରେ ସୂର୍ଯ୍ୟପୂଜା, ୮ଟାରେ ସକାଳ ଧୂପ ଏବଂ ୯ଟାରେ ତିନି ରଥର ପ୍ରତିଷ୍ଠା ନୀତି ଶେଷ ହେବ। ଏହାପରେ ଶ୍ରୀବିଗ୍ରହମାନଙ୍କ ବହୁ ପ୍ରତୀକ୍ଷିତ ପହଣ୍ଡି ବିଜେ ନୀତି ସକାଳ ୯ଟା ୩୦ ମିନିଟ୍‌ରେ ଆରମ୍ଭ ହୋଇ ଦିନ ସାଢ଼େ ୧୨ଟାରେ ଶେଷ ହେବ ବୋଲି ଆଶା କରାଯାଉଛି। ପହଣ୍ଡି ଶେଷ ହେବା ପରେ ଦିନ ୨ଟାରୁ ୩ଟା ମଧ୍ୟରେ ତିନି ରଥରେ ଛେରା ପହଁରା ସେବା କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହାପରେ ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଚାରଫିଟା ଏବଂ ଘୋଡ଼ା-ସାରଥୀ ଲାଗିବା କାର୍ଯ୍ୟ କରାଯିବ। ସମସ୍ତ ପ୍ରସ୍ତୁତି ସରିବା ପରେ ଅପରାହ୍ଣ ୪ଟା ସମୟରେ ରଥଟଣା ଆରମ୍ଭ ହେବ ଏବଂ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥ ଟାଣିବେ।