ହନିଟ୍ରାପରେ ଫସି ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଗିରଫ

ନୂଆଦିଲ୍ଲୀ, ୦୮/୦୮ : ହନିଟ୍ରାପରେ ଶିକାର ହୋଇ ଦେଶର ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଭାରତୀୟ ବାୟୁ ସେନାର ଜଣେ ୱିଙ୍ଗ୍ କମାଣ୍ଡରଙ୍କୁ ଗିରଫ କରିଛି । ତାଙ୍କୁ ଦୁଇ ମାସ ପୂର୍ବରୁ ଗିରଫ କରାଯାଇଥିବାବେଳେ ସୁରକ୍ଷା ଦୃଷ୍ଟିରୁ ପରିଚୟକୁ ଗୋପନୀୟ ରଖାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ୱିଙ୍ଗ୍ କମାଣ୍ଡର୍ ଯେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନରେ ମାନସିକ ଦୁଶ୍ଚିନ୍ତାରେ ଗତି କରୁଥିଲେ ସେତେବେଳେ ସେ ସାମାଜିକ ଗଣମାଧ୍ୟମରେ ଜଣେ ମହିଳାଙ୍କ ସହିତ ସମ୍ପର୍କରେ ଆସିଥିଲେ । ଧିରେ ଧିରେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ବଢ଼ିବା ସହିତ ମହିଳା ଜଣକ ତାଙ୍କର ବିଶ୍ୱାସ ଜିତିବାକୁ ଚେଷ୍ଟା କରିଥିଲେ । ଏହାରି ମଧ୍ୟରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ୀଭୂତ ହୋଇଥିଲା । ଏହା ପରେ ନିୟମିତ ଭିଡ଼ିଓ କଲ୍ ଏବଂ ଚାର୍ଟିଂ ହୋଇଥିଲା ।

ଏହାରି ମଧ୍ୟରେ ଉକ୍ତ ମହିଳା କମାଣ୍ଡରଙ୍କୁ ସେନାର ବିଭିନ୍ନ କାର୍ଯ୍ୟକଳାପ ପ୍ରସଙ୍ଗରେ ପଚାରିବା ଆରମ୍ଭ କରିଥିଲେ । ଏହା ପରେ ୱିଙ୍ଗ୍ କମାଣ୍ଡର୍ ସେନାର ଗତିବିଧିର ସମସ୍ତ ତଥ୍ୟ ଦେଇଥିଲେ । ଯେଉଁଥିରେ ସେନାର ବହୁତ ଗୁପ୍ତ ଏବଂ ସମ୍ବେଦନଶୀଳ ତଥ୍ୟ ଅନ୍ତର୍ଭୁକ୍ତ । ଉକ୍ତ ମହିଳା ଜଣକଙ୍କ ପାକିସ୍ତାନର ଥିବା ପୁଲିସ ସ୍ପଷ୍ଟ କରିଛି । ଆଉ ୱିଙ୍ଗ୍ କମାଣ୍ଡର ହନିଟ୍ରାପ୍ ଶିକାର ହୋଇଛନ୍ତି । ମହିଳା ଜଣକଙ୍କ ଏକ ନିର୍ଦ୍ଦିଷ୍ଟ ଆପ୍ଲିକେସନ୍ ତାଙ୍କ ସାଙ୍ଗଙ୍କ ମୋବାଇଲରେ ଡାଉନଲୋଡ୍ କରିବାକୁ ୱିଙ୍ଗ୍ କମାଣ୍ଡରଙ୍କୁ କହିଥିଲେ । ଏହି ଆପ୍ଲିକେସନ୍ ଦ୍ୱାରା ସେନା ଅଧିକାରୀଙ୍କ ମୋବାଇଲରୁ ଡାଟା ସଂଗ୍ରହ କରିବାକୁ ବ୍ୟବହାର କରାଯାଇଥିବା ଅନୁମାନ କରାଯାଉଛି ।

ସୂତ୍ର ଅନୁଯାୟୀ, ବାୟୁ ସେନାର ଗୁଇନ୍ଦା ଶାଖାରୁ ନିର୍ଦ୍ଦିଷ୍ଟ ସୂଚନା ପାଇ ଦିଲ୍ଲୀ ପୁଲିସ ଏହି ଅପରେସନ୍ କରିଥିଲା ଏବଂ ୩୧ ମଇ ୨୦୨୬ ରାତିରେ ୱିଙ୍ଗ କମାଣ୍ଡରଙ୍କୁ ଗିରଫ କରିଥିଲା। ଗିରଫ ପରେ, ତାଙ୍କୁ ପ୍ରଥମେ ପୋଲିସ ହେପାଜତରେ ପଚରାଉଚରା କରାଯାଇଥିଲା ଏବଂ ପରେ ନ୍ୟାୟିକ ହାଜତକୁ ପଠାଯାଇଥିଲା। ତାଙ୍କୁ ତିହାର ଜେଲରେ ରଖାଯାଇଛି । ତଦନ୍ତ ବର୍ତ୍ତମାନ ଡିଜିଟାଲ୍ ଟ୍ରେଲ୍ ଉପରେ କେନ୍ଦ୍ରିତ । ପୁଲିସ କେଉଁ ପ୍ଲାଟଫର୍ମ ମାଧ୍ୟମରେ ଅଧିକାରୀ ଏବଂ ମହିଳା ଯୋଗାଯୋଗ କରିଥିଲେ, କେତେ ସୂଚନା ସେୟାର କରାଯାଇଥିଲା ଏବଂ କାହାକୁ ସୂଚନା ଦିଆଯାଇଥିଲା ତାହା ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛି। ଏଜେନ୍ସିଗୁଡ଼ିକ ଅଭିଯୁକ୍ତ ବିଦେଶୀ ହ୍ୟାଣ୍ଡଲରମାନଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ କାମ କରୁଛନ୍ତି। ତେବେ କେଉଁ କେଉଁ ଗୁପ୍ତ ତଥ୍ୟ ସେ ମହିଳାଙ୍କୁ ପଠାଇଛନ୍ତି ତାହା ତଦନ୍ତ ପରିସରଭୁକ୍ତ ରହିଛି ।