କିଛି ଡ୍ରାଏ ଫ୍ରୁଟ୍ସର ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ ହୋଇଥାଏ । କିସମିସ୍ ଏକ ଏଭଳି ଡ୍ରାଏ ଫ୍ରୁଟ୍ ଯାହାର ପାଣି ପିଇ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । କିସମିସ୍ ପାଣିରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ୱେଟ୍ ଲସ୍ ଜର୍ଣ୍ଣିକୁ ବହୁ ପରିମାଣରେ ସହଜ କରିପାରେ । ଯଦି ଆପଣ ଏହି ଡ୍ରାଏ ଫ୍ରୁଟ୍ ପାଣିକୁ ସଠିକ୍ ଉପାୟରେ ଆପଣଙ୍କ ଦୈନନ୍ଦୀନ ଜୀବନରେ ସାମିଲ କରନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ସକରାତ୍ମକ ପ୍ରଭାବ ପକାଇପାରେ ।
ଆୟୁର୍ବେଦ ଅନୁଯାୟୀ କିସମିସ୍ ପାଣି ଖାଲି ପେଟରେ ସକାଳେ ପିଇବା ଉଚିତ୍ । ଏଥିପାଇଁ ଆପଣଙ୍କୁ ଏକ ପାତ୍ରକୁ ରାତିସାରା ଏକ ଗ୍ଲାସ ପାଣିରେ କିଛି କିସମିସ ଭିଜାଇ ରଖିବାକୁ ପଡିବ । ପରଦିନ ସକାଳେ, ଏହି ଡ୍ରାଏ ଫ୍ରୁଟ୍ ପାଣି ସହିତ ନିଜ ଦିନର ଆରମ୍ଭ କରନ୍ତୁ । କେବଳ ଗୋଟିଏ ମାସ ପାଇଁ ଏହି ନିୟମ ଫଲୋ କରନ୍ତୁ ଏହାପରେ ସକରାତ୍ମକ ପ୍ରଭାବ ଦେଖିବାକୁ ପାଇବେ । ତେବେ ଆସନ୍ତୁ ସକାଳୁ ଖାଲି ପେଟରେ ଭିଜା କିସମିସ ଖାଇବାର ଲାଭ ସମ୍ପର୍କରେ ଜାଣିବା ।
ପାଚନ କ୍ରିୟାକୁ ମଜବୁତ କରେ : କିସମିସରେ ଫାଇବରର ମାତ୍ରା ପ୍ରଚୁର ପରିମାଣର ରହିଛି । ଯାହା ପେଟ ପାଇଁ ଏକ ପ୍ରାକୃତିକ ଔଷଧ ଭାବେ କାମ କରିଥାଏ । ନିୟମିତ ସକାଳେ ଏହାକୁ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଯାହା ଅନ୍ତନଳୀ ସଫା କରିବା ସହ ପାଚନ ପ୍ରକ୍ରିୟାକୁ ମଜବୁତ କରେ ।
ରକ୍ତହୀନତା ଦୂର କରେ: ରକ୍ତହୀନତା ସମସ୍ୟା ଦୂର କରିବା ପାଇଁ କିସମିସ୍ ପାଣି ଉତ୍କୃଷ୍ଟ ଚିକିତ୍ସା ହୋଇପାରେ । କିସମିସରେ ଆଇରନ୍, କପର ଏବଂ ବି କମ୍ଲେକ୍ସ ଥାଏ । ଯାହା ଶରୀରରେ ଲୋହିତ ରକ୍ତ କଣିକା ଉତ୍ପାଦନ ବୃଦ୍ଧି କରେ, ଯାହା ଦୁର୍ବଳତା ଏବଂ ଥକାପଣ ଦୂର କରିବାରେ ସାହାଯ୍ୟ କରେ ।
ବ୍ଲଡ୍ ପ୍ରେସର ଏବଂ ହାର୍ଟ ପାଇଁ ଲାଭଦାୟକ : କିସମିସରେ ପୋଟାସିୟମ ଗୁଣ ଭରପୁର ମାତ୍ରାରେ ରହିଛି । ପୋଟାସିୟମ ଶରୀରରେ ସୋଡିୟମର ପ୍ରଭାବକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ । ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । କିସମିସରେ ଥିବା ଆଣ୍ଟିଅକ୍ସିଡାଣ୍ଟ କୋଲେଷ୍ଟ୍ରଲ ସ୍ତରକୁ ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ହୃଦରୋଗର ଆଶଙ୍କା କମ କରେ ।
ଏନର୍ଜି ବଢାଏ : ସକାଳୁ ଉଠିଲେ ଅଳସୁଆ ଅନୁଭବ ହୋଇଥାଏ । ତେଣୁ ଚା ଏବଂ କଫି ପିଇଥାଉ । କିନ୍ତୁ ଚା ଓ କଫି ବଦଳରେ ଭିଜା କିସମିସ ଖାଇବାର ଅଭ୍ୟାସ କରନ୍ତୁ । ଯେଉଁଥିରେ ଗ୍ଲୁକୋଜ ଏବଂ ଫ୍ରୁକ୍ଟୋଜ୍ ଥାଏ । ଯାହା ଇନଷ୍ଟାଣ୍ଟ ଏନର୍ଜି ପ୍ରଦାନ କରିଥାଏ ।
ଓଜନ ନିୟନ୍ତ୍ରଣ କରେ : ମେଦବହୁଳତାରୁ ମୁକ୍ତି ପାଇବା କିମ୍ବା ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବା ପାଇଁ, ଏହି କିସମିସ ପାଣି ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ ।
ହାଡ଼ ଏବଂ ଦାନ୍ତକୁ ମଜବୁତ କରେ: କିସମିସରେ କ୍ୟାଲସିୟମ ଏବଂ ବୋରନ ଭଳି ପୋଷକ ତତ୍ତ୍ୱ ରହିଛି । ବୋରନ ହାଡ଼ ବିକାଶ ଏବଂ କ୍ୟାଲସିୟମ ଶୋଷଣ ପାଇଁ ଜରୁରୀ । ଏହା ମହିଳାମାନଙ୍କ ମଧ୍ୟରେ ଅଷ୍ଟିଓପୋରୋସିସର ଆଶଙ୍କାକୁ ହ୍ରାସ କରିଥାଏ ।